କନକ ବ୍ୟୁରୋ: ଶିକ୍ଷାଗତ ଯୋଗ୍ୟତା ଏମଏ ପାସ୍, ବିକୁଛନ୍ତି ଗରମା ଗରମ ଚା’ । ଗତ କିଛି ଦିନ ହେଲା ଏହି ଏମଏ ପାସ୍ ଚା’ ବିକାଳୀଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ସୋସିଆଲ୍ ମିଡିଆରେ ତାଙ୍କର କିଛି ଫଟୋ ବି ଭାଇରାଲ ହେବାରେ ଲାଗିଛି । ତେବେ ଏମଏ ପାସ୍ କରିଥିବା ଏହି ଚା’ ବିକାଳୀ ଝିଅର ନାଁ ହେଉଛି ଅଞ୍ଜନା ରାୱତ ।
ଉତ୍ତରାଖଣ୍ଡରେ ରହୁଥିବା ଅଞ୍ଜନା ରାୱତ ଗତ ୧୨ ବର୍ଷ ଧରି ଚା’ ବିକ୍ରି କରୁଛନ୍ତି । ଆଉ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ ତାଙ୍କୁ ଯେତେବେଳେ ମାତ୍ର ୧୭ ବର୍ଷ ବୟସ ହେଇଥିଲା, ସେବେଠୁ ସେ ତାଙ୍କ ବାପାଙ୍କ ଦୋକାନରେ ଆସି ବସିବା ଆରମ୍ଭ କରିଥିଲେ । ହେଲେ ଯେତେବେଳେ ଅଞ୍ଜନାଙ୍କ ବାପା କ୍ୟାନସରରେ ଆଖି ବୁଜିଲେ, ସେତେବେଳେ ପରିବାର ମୁହଁରେ ଦାନା ଦେବାକୁ ଯାଇ ଏହି ଚା’ ଦୋକାନକୁ ସମ୍ଭାଳିଥିଲେ ନିଜେ ଅଞ୍ଜନା ।
ଅଞ୍ଜନା କୁହନ୍ତି, ପ୍ରଥମେ ପ୍ରଥମେ ତାଙ୍କ ବାପା ଗଣେଶ ଏହି ଚା’ ଦୋକାନ ଚଲାଉଥିଲେ । ହେଲେ ସେ କ୍ୟାନସରରେ ପଡିବା ପରେ ତାଙ୍କ ଚିକିତ୍ସା ପାଇଁ ସେ ଦୋକାନ ଖୋଲିବା ଆରମ୍ଭ କରିଥିିଲେ । ବାପାଙ୍କ ଦେହାନ୍ତ ହେବା ପରେ ଦୋକାନର ପୂରା ଭାର ତାଙ୍କ ଉପରକୁ ଚାଲିଆସିଥିଲା । ତେବେ ପ୍ରଥମେ ପ୍ରଥମେ ଯେଉଁ ଲୋକମାନେ ତାଙ୍କୁ ଅନେକ କଥା କହୁଥିଲେ, ଏବେ ସେଇ ଲୋକମାନେ ତାଙ୍କଠାରୁ ଆସି ଚା’ ପିଉଛନ୍ତି ବୋଲି ସେ କହିଛନ୍ତି ।
ଚା’ ଦୋକାନରୁ ହେଉଥିବା ରୋଜଗାରରୁ ଅଞ୍ଜନା ନିଜ ପରିବାର ଚଳାଇବା ସହିତ ନିଜ ଭଉଣୀର ବିବାହ ବି କରିଛନ୍ତି । ତା ସହିତ ନିଜ ପାଠପଢା ମଧ୍ୟ ଛାଡିନାହାଁନ୍ତି ଅଞ୍ଜନା । ଏହି ଚା’ ଦୋକାନରୁ ହେଉଥିବା ଆୟରୁ ସେ ଏମଏ ପାସ୍ କରିବା ସହିତ ନିଜକୁ ଶିକ୍ଷିତ କରି ଗଢି ତୋଳିଛନ୍ତି । ଅଞ୍ଜନାଙ୍କ କହିବା କଥା, ସେ ଘର ତିଆରି କରିବାକୁ ଲୋନ୍ ନେଇଛନ୍ତି ଆଉ ବାକି ସବୁ ଖର୍ଚ୍ଚ ସେ ଏହି ଦୋକାନରୁ ଉଠାଉଛନ୍ତି । ତେବେ ଏହା ଭିତରେ ଅଞ୍ଜନାଙ୍କୁ ଦୋକାନ ସମ୍ଭାଳିବାର ୧୨ ବର୍ଷ ବିତିଗଲାଣି । ହେଲେ ତାଙ୍କ ପରିସ୍ଥିତିରେ କିଛି ବି ସେଭଳି ପରିବର୍ତ୍ତନ ହେଇଥିବା ଦେଖିବାକୁ ମିଳୁନି । ତାଙ୍କ ସ୍ୱପ୍ନ ଅଛି, ସେ ପାଠ ପଢି ଭଲ ଚାକିରି କରିବେ ।
“ମୋ ଯାତ୍ରା ସଂଘର୍ଷପୂର୍ଣ୍ଣ ରହିଛି, ହେଲେ ମୁଁ କଦାପି ହାର୍ ମାନିନି । ଆଗକୁ ମୋ ଯାତ୍ରା ଜାରି ରହିବ, ଆଉ ମୁଁ ମୋ ଲକ୍ଷ୍ୟ ସ୍ଥଳରେ ନିଶ୍ଚୟ ପହଞ୍ଚିଛି । ଜୀବନରେ କିଛି କରିବାକୁ ଚାହୁଁଛି, ଯେଉଁଥିରେ ମୁଁ ମୋ ମା’ଙ୍କୁ ଗୋଟିଏ ଭଲ ଜୀବନ ଦେଇପାରିବି”, କହିଛନ୍ତି ଏହି ଏମଏ ପାସ୍ ଚା’ ବିକାଳୀ ଅଞ୍ଜନା ରାୱତ ।