ଲକ୍ଷେ ଟଙ୍କିଆ ଚାକିରି ଛାଡିଲେ, ଚା’ ଦୋକାନ କଲେ । ଚର୍ଚ୍ଚାରେ ଏମ.ଏ ଇଂଲିସ୍ ଚାଏ ୱାଲି…

436

କନକ ବ୍ୟୁରୋ : ଏମ.ବି.ଏ ଚାଏୱାଲା, ବିଟେକ୍ ଚାଏୱାଲା, ଗ୍ରାଜୁଏଟ୍ ଚାଏୱାଲାଙ୍କ ଭଳି ଆଉ ଜଣେ ଏବେ ଚର୍ଚ୍ଚାକୁ ଆସିଛନ୍ତି । ସେ ହେଉଛନ୍ତି ଇଂରାଜୀରେ ଏମ.ଏ କରିଥିବା ଶର୍ମିଷ୍ଠା ଘୋଷ । ଯାହାଙ୍କୁ ଏବେ ସମସ୍ତେ ଏମ.ଏ ଇଂଗଲିସ୍ ଚାଏୱାଲି ନାଁରେ ଜାଣୁଛନ୍ତି । ଶର୍ମିଷ୍ଠାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

କଥାରେ ଅଛି ଯେତେବେଳେ ମଣିଷ ତାର ବଡ ସ୍ୱପ୍ନ ପୂରା କରିବା କଥା ଭାବିଥାଏ ସେତେବେଳେ ସେ ଛୋଟ କାମ କରିବାକୁ ପଛଘୁଞ୍ଚା ଦେଇନଥାଏ । ଛୋଟ କାମରୁ ଭଲ ଲାଭ ମିଳୁ ଅବା କ୍ଷତି, ଲାଭ କ୍ଷତିକୁ ନଡରି କାମ କରିଚାଲିଥାଏ । ଆଉ ନିଜର ସ୍ୱପ୍ନକୁ ପୂରା କରିବା ପାଇଁ ଜୋରଦାର ପ୍ରୟାସ କରିଥାଏ । ଠିକ୍ ସେହିଭଳି ଶର୍ମିଷ୍ଠା ଘୋଷ, ଜଣେ ପାଠ ପଢୁଆ ଯୁବତୀ ହୋଇ ମଧ୍ୟ ଚାକିରି ପଛରେ ନଗୋଡାଇ ଚା’ ବିକ୍ରି କରିବାର ବାଟକୁ ବାଛିନେଇଛନ୍ତି ।

ଇଂରାଜୀ ଲିଟ୍ରେଚରରେ ଏମ.ଏ କରିଛନ୍ତି ଶର୍ମିଷ୍ଠା ଘୋଷ । ଚାଏ କାଫେର ଏକ ବଡ ଚେନ୍ କରିବା ତାଙ୍କର ସ୍ୱପ୍ନ ରହିଛି । ଅର୍ଥାତ୍, ସେ ଏବେ ଇଂଲିସ୍ ଚାଏୱାଲି ନାଁରେ ଯେଉଁ ଚା’ ଦୋକାନ ଚଲାଉଛନ୍ତି ତାକୁ କିଭଳି ବଡ କରିବା ସହ ସେହିଭଳି ଅନେକ କାଫେ ଅନ୍ୟାନ୍ୟ ସ୍ଥାନରେ ବନାଇବା ପାଇଁ ସ୍ୱପ୍ନ ରଖିଛନ୍ତି । ତେଣୁ ବ୍ରିଟିସ୍ କାଉଁସିଲରେ ଚାକିରି ପାଇ ମଧ୍ୟ ଚାକିରି ଛାଡି ଚା’ ଦୋକାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଶର୍ମିଷ୍ଠାଙ୍କ ଏହି ଛୋଟିଆ ଚା’ ଦୋକାନରେ ସକାଳ ଏବଂ ସଂଧ୍ୟାରେ ପ୍ରବଳ ଭିଡ ଦେଖିବାକୁ ମିଳେ । ଚା’ ଏବଂ କଫିର ଟେଷ୍ଟ୍ ଲୋକଙ୍କୁ ଭଲ ଲାଗୁଥିବାରୁ ଏଠାକୁ ଲୋକେ ବହୁ ଦୁରରୁ ମଧ୍ୟ ଆସିଥାନ୍ତି । ଚା’ ବ୍ୟବସାୟରେ ଏବେ ଭଲ ବ୍ୟବସାୟ ହେଉଥିବାରୁ ଶର୍ମିଷ୍ଠା ଦୁଇ ପଇସା କମାଇବା ସହ ଆଗକୁ କେମିତି ବ୍ୟବସାୟକୁ ବଡ କରିବେ ସେନେଇ ଚେଷ୍ଟା ଜାରି ରଖିଛନ୍ତି ।

ତେବେ ଶର୍ମିଷ୍ଠା ଗତ କିଛି ଦିନ ହେବ ଇଂଲିସ୍ ଚାଏୱାଲି ଭାବେ ଚର୍ଚ୍ଚାକୁ ଆସିଥିବା ବେଳେ ଜଣେ ପୂର୍ବତ୍ତନ ଭାରତୀୟ ସେନା ଅଧିକାରୀ ସଂଜୟ ଖାନ୍ନା ଶର୍ମୀଷ୍ଠାଙ୍କ ଏକ ଫଟୋକୁ ନିଜ ଲିଙ୍ଗ୍ଡଇନ୍ ପେଜରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ଶର୍ମୀଷ୍ଠାଙ୍କ ଏହି ପ୍ରୟାସକୁ ଦେଖି ମୁଁ ବହୁତ ଖୁସି ହେଲି । ତାଙ୍କୁ ତାଙ୍କର ସ୍ୱପ୍ନ ବିସୟରେ ପଚାରିଲି, ଶର୍ମୀଷ୍ଟା କହିଲେ… ତାଙ୍କର ଏହି ଛୋଟ ଦୋକାନକୁ ଦିନେ ବଡ କରିବା ସହ ଏକ କାଫେ ଚେନ୍ ବନାଇବାକୁ ସ୍ୱପ୍ନ ରହିଛି । ତାଙ୍କର ଏହି କଥା ମୋ ମନକୁ ଛୁଇଁ ଯାଇଛି । କେବଳ ଏତିକି ନୁହେଁ, ଶର୍ମୀଷ୍ଠାଙ୍କ ବିସୟରେ ଆହୁରି ଅନେକ କଥା ସଂଜୟ ଖାନ୍ନା ତାଙ୍କ ପୋଷ୍ଟରେ ଲେଖିଛନ୍ତି ।