କନକ ବ୍ୟୁରୋ : ଆଇଆଇଟି ହାଇଦ୍ରାବାଦରେ ଓଡ଼ିଆ ଛାତ୍ରୀଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ବୀରମହାରାଜପୁରର ମମିତା ନାଏକଙ୍କ ମୃତ୍ୟୁ ହୋଇଛି । ସେ ରହୁଥିବା ହଷ୍ଟେଲ ରୁମ୍ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ହଷ୍ଟେଲ ରୁମ୍ରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ପୋଲିସ ଜବତ କରିଛି । ମମିତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ରାଗିଂ କରି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ ହୋଇଛି ।

Advertisment

ମମିତା ହାଇଦ୍ରାବାଦ ଆଇଆଇଟିରେ ଏମଟେକ୍ କରୁଥିଲେ । ଗତ ଜୁଲାଇ ୨୬ ତାରିଖରେ ସେ ଘରୁ ତାଙ୍କ ଦାଦାଙ୍କ ସହ ହାଇଦ୍ରାବାଦ ଯାଇଥିଲେ । ଅଗଷ୍ଟ ୭ ତାରିଖ ସୋମବାର ରାତି ୯ଟାରେ ଆଇଆଇଟି କଲେଜ ଅଧ୍ୟକ୍ଷ ଫୋନ୍ କରି ମମିତା ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ମମିତାଙ୍କ ରୁମରୁ ଜବତ ହୋଇଥିବା ସୁଇସାଇଡ୍ ନୋଟ୍ ଓଡ଼ିଆରେ ଲେଖାଯାଇଛି । ପାଠପଢା ଚାପ ସାଙ୍ଗକୁ ଆର୍ଥିକ ଅସୁବିଧା ପାଇଁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟରେ ଲେଖାଥିବା ତେଲେଙ୍ଗାନା ପୋଲିସ କହିଛି ।

ପରିବାରର ସମସ୍ତେ ମତେ କ୍ଷମା କରିଦେବ। ବଞ୍ଚିବା ପାଇଁ ମୁଁ ଇଚ୍ଛା କରୁ ନାହିଁ । ବି.ଟେକ୍‌ କଲା ଦିନ ଠାରୁ ମୁଁ ମାନସିକ ଚାପରେ ରହୁଥିଲି। ତା’ ପରଠାରୁ ମାନସିକ ଚାପ ବଢ଼ିଚାଲିଛି। ଘରେ ଆର୍ଥିକ ସମସ୍ୟା ଲାଗି ରହୁଥିବାରୁ ଭଲ ଲାଗୁ ନଥିଲା। ଆଜି ନ ହେଲେ କାଲି ଠିକ୍‌ ହୋଇଯିବ ଭାବୁଥିଲି । ହାଇଦ୍ରାବାଦ୍‌ ଆସିଲା ପରେ ବି ଅସୁବିଧା ଶେଷ ହେଲା ନାହିଁ । ବିଗତ ୬ ମାସ ହେଲା ଅଧିକ ମାନସିକ ଚାପରେ ରହୁଥିଲି । ସାମାନ୍ୟ କଥାରେ ମୋତେ ଟେନ୍‌ସନ୍‌ ଲାଗୁଥିଲା ।

ଜୀବନରେ ପାଠ ପଢ଼ିକି ମଧ୍ୟ ଚାକିରି କରିପାରିବି କି ନାହିଁ ତାହା ଜାଣି ନାହିଁ। ଘରେ ସମସ୍ତେ ଖୁସିରେ ରୁହ । ମତେ ଭୁଲିଯିବ। ଯାହା ସବୁ ହେଉଛି, ଏଥି ପାଇଁ ମୁଁ ନିଜେ ଦୋଷୀ। ମତେ କ୍ଷମା କରିଦେବ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ହାଇଦ୍ରାବାଦ  ହଷ୍ଟେଲ୍‌ ରୁମ୍‌ରେ ସୋମବାର ବେକରେ ରଶି ଲଗାଇ ଝୁଲିପଡ଼ିଥିବା ଓଡ଼ିଆ ଝିଅ ମମିତା ନାଏକ ଏଭଳି ଚିଠି ଲେଖିଛନ୍ତି ।