ନୂଆ ରୂପରେ ଧୋନୀ ! ବ୍ୟାଟ ବଦଳରେ ମାହିଙ୍କ ହାତରେ ବନ୍ଧୁକ, ୪୦ ସେକେଣ୍ଡରେ କଲେ ୧୫ ରାଉଣ୍ଡ ଫାୟାର ।

39

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପଡିଆରେ ଲମ୍ବା ଲମ୍ବା ଛକା ମାରିବାରେ ମାହିର । କିନ୍ତୁ ଏଥର ତାଙ୍କର ଏକ ନୂଆ ଅବତାର ଦେଖିବାକୁ ମିଳିଛି । ଧୋନୀ ସୁଟିଙ୍ଗ କରୁଥିବାର ଏକ ଭିଡିଓ ଟ୍ୱିଟ କରିଛନ୍ତି ଯେଉଁଥିରେ ସେ ଗୋଟିଏ ପରେ ଗୋଟିଏ ଗୁଳି ଚଳାଉଥିବାର ଦେଖାଯାଇଛି ।

ଭିଡିଓକୁ ଟ୍ୱିଟ କଲା ବେଳେ ଧୋନୀ ଲେଖିଛନ୍ତି ଯେ, ବିଜ୍ଞାପନ ସୁଟିଙ୍ଗ କରିବାରୁ ଅଧିକ ମଜା ଗୁଳି ଚଳାଇବାରେ ଆସିଥାଏ । ୩୦ ସେକେଣ୍ଡର ଏହି ଭିଡିଓରେ ଧୋନୀ ୧୫ ଥର ଗୁଳି ଚଳାଇଛନ୍ତି । ଏପରିକି କିଛି ଗୁଳି ଲକ୍ଷ୍ୟ ସ୍ଥାନରେ ମଧ୍ୟ ବାଜିଛି । ଗୁଳି ଚାଳନା ସରିବା ପରେ ଧୋନୀ ନିଜ ବନ୍ଧୁକକୁ ରଖୁଥିବାର ଦେଖିବାକୁ ମିଳିଛି ।

ତେବେ ଧୋନୀ ଏବେ ଆଇପିଏଲ ମ୍ୟାଚରେ ବ୍ୟସ୍ତ ରହୁଛନ୍ତି । ଏହି ବ୍ୟସ୍ତତା ଭିତରେ ମଧ୍ୟ ସେ ସମୟ ବାହାର କରି ନିଜ ସଉକ ପୁରା କରିବା ପାଇଁ ଗୁଳି ଚାଳନା କରିଛନ୍ତି । ଧୋନୀଙ୍କୁ ପ୍ରାୟତଃ ଏପରି ସାହସିକ କାର୍ଯ୍ୟ କରୁଥିବାର ଦେଖାଯାଇଥାଏ । ହର୍ସ ରାଇଡିଂ ଠାରୁ ଆରମ୍ଭ କରି ଧୋନୀଙ୍କର ବାଇକ ପ୍ରେମ ଥିବା କଥା ପ୍ରାୟ ସମସ୍ତେ ଜାଣିଛନ୍ତି । ଏହା ସହ ବିଜ୍ଞାପନରେ ସେ ଆକାଶରୁ ଡେଉଁଥିବାର ଦୃଶ୍ୟ ମଧ୍ୟ ରହିଛି । ଧୋନୀଙ୍କର ଏଭଳି ସାହସିକତାକୁ ଦେଖି ତାଙ୍କୁ ପ୍ରାଦେଶିକ ସେନା ପକ୍ଷରୁ ଲେଫ୍ଟନାଣ୍ଟ ଜେନେରାଲ କର୍ଣ୍ଣେଲ ଉପାଧି ମଧ୍ୟ ଦିଆଯାଇଛି ।

ନିକଟରେ ଧୋନୀ ସେନା ପୋଷାକ ପରିଧାନ କରି ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମ ଭୂଷଣ ଉପାଧି ଗ୍ରହଣ କରିଥିଲେ । ସେନା ପୋଷାକ ପିନ୍ଧି ଉପାଧି ଗ୍ରହଣ କରିବା ପଛରେ ରହିଥିବା କାରଣକୁ ନେଇ ଧୋନୀ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହେବା ଏକ ଗର୍ବର ବିଷୟ । ଆଉ ଏହି ଉପାଧିକୁ ସେନା ପୋଷାକରେ ଗ୍ରହଣ କରିବା ଏହି ଖୁସିକୁ ଦଶ ଗୁଣା ବଢାଇ ଦେଇଥାଏ । ତେବେ ଏହି ଅବସରରେ ସେନା ଜବାନ ମାନଙ୍କୁ ମଧ୍ୟ ଧୋନୀ ଧନ୍ୟବାଦ ଦେଇଥିଲେ ।

ଧୋନୀ ପୋଷ୍ଟ କରି କହିଛନ୍ତି ଯେ, ଯେଉଁ ମହିଳା କିମ୍ବା ପୁରୁଷ ସେନାରେ ରହି ଦେଶ ପାଇଁ ସେବା କରୁଛନ୍ତି ଏବଂ ତାଙ୍କ ପରିବାର ମଧ୍ୟ ଅନେକ କଷ୍ଟ ଉଠାଉଛନ୍ତି ସେଥିପାଇଁ ସେମାନଙ୍କୁ ଅନେକ ଅନେକ ଧନ୍ୟବାଦ । ସେମାନଙ୍କର ଜଳାଞ୍ଜଳି ପାଇଁ ହିଁ ଆମେ ଶାନ୍ତିରେ ରହୁଛୁ । ଏବଂ ଆମେ ନିଜ ଅଧିକାର ସହ ବଞ୍ଚିପାରୁଛୁ ବୋଲି ଧୋନୀ କହିଛନ୍ତି ।