ସଂକଟରେ ଦେଶର ସବୁଠୁ ବଡ଼ ତଦନ୍ତକାରୀ ସଂସ୍ଥା ! ରାତି ଅଧରେ ଚାଲିଲା ହାଇଡ୍ରାମା, ଦୁଇ ଟପ୍ ଅଫିସରଙ୍କୁ ଛୁଟିରେ ପଠାଇଲେ କେନ୍ଦ୍ର ସରକାର ।

34

କନକ ବ୍ୟୁରୋ : ଦେଶର ସବୁଠୁ ବିଶ୍ୱସ୍ତ ତଦନ୍ତକାରୀ ସଂସ୍ଥା କୁହାଯାଉଥିବା ସିବିଆଇକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଆଜି ନୂଆ ମୋଡ଼ ନେଇଛି । ପ୍ରଥମଥର ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଦୁଇ ସର୍ବୋଚ୍ଚ ଅଧିକାରୀଙ୍କୁ ଛୁଟିରେ ପଠାଇ ଦେଇ ସେମାନଙ୍କ କାର୍ଯ୍ୟାଳୟକୁ ସିଲ କରିଦିଆଯାଇଛି । ସେହିପରି ରାକେଶ ଆସ୍ଥାନାଙ୍କ ବିରୋଧରେ ଲାଂଚ ମାମଲାର ତଦନ୍ତ କରୁଥିବା ଡିଏସପି ଏ.କେ. ବସିଙ୍କୁ କଳାପାଣି ପଠାଇ ଦେଇଛନ୍ତି ସରକାର । ତାଙ୍କୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୋର୍ଟବ୍ଲେୟାରକୁ ପଠାଇ ଦିଆଯାଇଛି । ଏପଟେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା । ଆଉ ଏସବୁ ଭିତରେ ବିରୋଧୀଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ହାତକୁ ତଦନ୍ତଭାର ଟେକି ଦେଇଛନ୍ତି କେନ୍ଦ୍ର ସରକାର ।

 

ସିବିଆଇ ବନାମ ସିବିଆଇ- ପାର୍ଟ ୨ । ଛୁଟିରେ ଗଲେ ଦୁଇ ଟପ୍ ଅଫିସର । ଓଡିଶା କ୍ୟାଡର ଅଫିସରଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ । ସିବିଆଇକୁ ନେଇ ସଂକଟରେ ପଡିଯାଇଥିବା ମୋଦି ସରକାରଙ୍କ ରାତିଅଧିଆ ଡ୍ରାମା । ଛୁଟିରେ ଗଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା । ପରସ୍ପର ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣି ସିବିଆଇର ଅଧିକାରୀ ନମ୍ବର-ୱାନ୍ ଓ ନମ୍ବର-ଟୁ ଯେଉଁ ସଂକଟଜନକ ସ୍ଥିତି ତିଆରି କରିଥିଲେ ତାର ମୁକାବିଲା କରିବା ମୋଦି ସରକାରଙ୍କ ପାଇଁ ଥିଲା ସବୁଠାରୁ ବଡ ଚ୍ୟାଲେଞ୍ଜ । ଯେଉଁଥିପାଇଁ ମଙ୍ଗଳବାର ବିଳମ୍ବିତ ରାତି ଯାଏଁ ଚାଲିଥିଲା ବିଚାରବିମର୍ଶ । ଆଉ ଶେଷରେ ନିଯୁକ୍ତି ସଂପର୍କିତ କ୍ୟାବିନେଟ୍ କମିଟିରେ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଏମ୍. ନାଗେଶ୍ୱର ରାଓଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେବାଲାଗି ବାଜିଥିଲା ମୋହର ।

ଇତିହାସରେ ପ୍ରଥମଥର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଦୁଇ ସର୍ବୋଚ୍ଚ ଅଧିକାରୀଙ୍କୁ ଛୁଟିରେ ପଠାଇ ଦେଇ ସେମାନଙ୍କ କାର୍ଯ୍ୟାଳୟକୁ ସିଲ କରିଦିଆଯାଇଛି । ଏପରିକି ରାକେଶ ଆସ୍ଥାନାଙ୍କ ବିରୋଧରେ ଲାଂଚ ମାମଲାର ତଦନ୍ତ କରୁଥିବା ଡିଏସପି ଏ.କେ. ବସିଙ୍କୁ କଳାପାଣି ପଠାଇ ଦେଇଛନ୍ତି ସରକାର । ତାଙ୍କୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୋର୍ଟବ୍ଲେୟାରକୁ ପଠାଇ ଦିଆଯାଇଛି । କୁହାଯାଉଛି ଆସ୍ଥାନା ସିଭିସିକୁ ଲେଖିଥିବା ଚିଠିରେ ବସିଙ୍କ ନାଁ ଉଲ୍ଲେଖ କରିଥିଲେ । ଆଲୋକ ବର୍ମାଙ୍କ ନିର୍ଦ୍ଦେଶରେ ତାଙ୍କୁ ଫସାଇବାକୁ ବସି ତଦନ୍ତ କରୁଥିବା ସେ ଲେଖିଥିଲେ ।

ସେପଟେ ସିବିଆଇର ନୂଆ ନିର୍ଦ୍ଦେଶକ ହୋଇଛନ୍ତି ଏମ୍. ନାଗେଶ୍ୱର ରାଓ । ୧୯୮୬ ବ୍ୟାଚ୍ ଓଡିଶା କ୍ୟାଡରର ଏହି ଆଇପିଏସ ଅଧିକାରୀଙ୍କ ଉପରେ ଶେଷରେ ଭରସା କରିଛନ୍ତି ମୋଦି ସରକାର ।

ଏମ୍. ନାଗେଶ୍ୱର ରାଓ : 

– ୧୯୮୬ ବ୍ୟାଚ୍ ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ଏମ୍. ନାଗେଶ୍ୱର ରାଓ

– ପୂର୍ବରୁ ସିବିଆଇ ଦକ୍ଷିଣ ଜୋନ୍, ଚେନ୍ନାଇର ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ଥିଲେ

– ଓଡିଶା, ପଶ୍ଚିମବଙ୍ଗ, ହରିଆଣା, ହିମାଚଳ ଓ ଉତ୍ତର-ପୂର୍ବ ରାଜ୍ୟ ଦାୟିତ୍ୱରେ ଥିଲେ

– ଓଡିଶା ଓ ପଶ୍ଚିମବଙ୍ଗରେ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିଲେ ନାଗେଶ୍ୱର ରାଓ

– ମୟୁରଭଞ୍ଜ, ନବରଙ୍ଗପୁର, ବରଗଡ଼ ଓ ଜଗତସିଂହପୁରରେ ଏସପି ଥିଲେ

– ଅଗ୍ନିଶମ ବିଭାଗରେ ଥାଇ ଫାଇଲିନ୍ ଓ ହୁଡହୁଡର ସଫଳ ମୁକାବିଲା କରିଥିଲେ

ସେପଟେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା । ରାତାରାତି ତାଙ୍କୁ ଛୁଟିରେ ଯିବାକୁ କହି ନୂଆ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିବାରୁ ଏହାକୁ ବେଆଇନ ବୋଲି କୋର୍ଟରେ ଯୁକ୍ତି କରିଛନ୍ତି ତାଙ୍କ ଓକିଲ । ଆବେଦନକୁ ଗ୍ରହଣ କରି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଆଗାମୀ ଶୁକ୍ରବାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ରାକେଶ ଆସ୍ଥାନା ମଧ୍ୟ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରୁ ନିଜ ପାଇଁ ସୁରକ୍ଷା ଆଣିଛନ୍ତି । ଆଗାମୀ ସୋମବାର ସୁଦ୍ଧା ସିବିଆଇ ତାର ପକ୍ଷ ନରଖିବା ଯାଏଁ ମାମଲାରେ ଷ୍ଟାଟସ-କ୍ୟୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅର୍ଥାତ ତାଙ୍କୁ ଗିରଫ କରାଯାଇ ପରିବ ନାହିଁ କିମ୍ବା ଘରେ ଓ ଅଫିସରେ କୌଣସି ଖାନତଲାସୀ ହୋଇପାରିବନି ।