କନକ ବ୍ୟୁରୋ: କଥାରେ ଅଛି ରଖିଲେ ହରି ମାରେ କିଏ? । ଯିଏ ମୃତ ପ୍ରାୟ ତା’ ଭିତରେ ବଢୁଥିଲା ଆଉ ଏକ ଜୀବନ । ଶେଷରେ ସିଏ ଜନ୍ମ ନେଇ ଦୁନିଆଁର ଆଲୋକକୁ ଦେଖିଲା ।ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଘଟିଛି ଏପରି ଏକ ଚମକ୍ରାର । ୭ ମାସ ଧରି କୋମାରେ ଥିବା ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଶିଶୁ କନ୍ୟାଟି ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।ଏହା ଚିକିତ୍ସା କ୍ଷେତ୍ରରେ ଏକ ଚମତ୍କାର ବୋଲି କୁହାଯାଉଛି ।

Advertisment

ଟାଇମ୍ସ ଅଫ୍ ଇଣ୍ଡିଆର ଖବର ମୁତାବକ, ବୁଲନ୍ଦନଗରର ଜନୈକ ମହିଳା ମାର୍ଚ୍ଚ ୩୧ ତାରିଖରେ ସ୍ୱାମୀଙ୍କ ସହ ବାଇକରେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଭାଗ୍ୟକୁ ସ୍ୱାମୀ ସିନା ବଞ୍ଚିଗଲେ । ହେଲେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଲା । ବାସ୍ ସେହି ସମୟରୁ ହିଁ ସେ ଅଚେତ୍ ହୋଇଗଲେ । ସେତେବେଳକୁ ମହିଳା ଜଣକ ୪୦ ଦିନର ଗର୍ଭବତୀ ଥିଲେ ।

ଏପରି ସ୍ଥିତିରେ ଗର୍ଭପାତ ଆଇନ ସମ୍ମତ ହୋଇଥିଲେ ବି ଏଥିପାଇଁ ତାଙ୍କ ସ୍ୱାମୀ ରାଜି ହୋଇନଥିଲେ । ଅନ୍ତତଃ ତାଙ୍କ ସ୍ତ୍ରୀଙ୍କ ସନ୍ତକକୁ ଏ ଦୁନିଆଁକୁ ଆଣିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ମଧ୍ୟରେ ମହିଳାଙ୍କ ମୁଣ୍ଡରେ ଏକାଧିକ ନ୍ୟୁରୋ ସର୍ଜରୀ ହୋଇସାରିଲାଣି । ସମୟେ ସମୟେ ସେ ଆଖି ଖୋଲୁଥିଲେ ବି ପୁଣି କୋମାକୁ ଚାଲିଯାଉଛନ୍ତି ।

ମହିଳାଙ୍କ ସ୍ୱାମୀ ଜଣେ ଘରୋଇ କମ୍ପାନୀରେ ଡ୍ରାଇଭର ଭାବ କାର୍ଯ୍ୟ କରୁଥିଲେ । ହେଲେ ସ୍ତ୍ରୀଙ୍କ ଦୁର୍ଘଟଣା ପରେ ସେ ନିଜ କାମ ଛାଡି । ତାଙ୍କ ସେବାରେ ଲାଗିଛନ୍ତି । ଏବେ ତାଙ୍କ ପାଖରେ ଝିଅର ଯତ୍ନ ନେବାକୁ କିଛି ସମ୍ବଳ ନଥିଲେ ବି ସେ ସାହାସ ହାରି ନାହାଁନ୍ତି ବୋଲି କହିଛନ୍ତି । ମୃତ ପ୍ରାୟ ପଡିଥିବା ସ୍ତ୍ରୀ ଏକ ସୁସ୍ଥ ସବଳ ଶିଶୁ କନ୍ୟାକୁ ଜନ୍ମ ଦେବା ତାଙ୍କ ପାଇଁ କିଛି କମ୍ ଆଶ୍ଚର୍ଯ୍ୟ କଥା ନଥିଲା । କେବଳ ତାଙ୍କ ପାଇଁ ନୁହେଁ ପୁରା ଡାକ୍ତର ଗ୍ରୁପ୍ ଏହା ଏକ ବଡ ଚ୍ୟାଲେଞ୍ଜ ଥିଲା ।