କ୍ରିସ୍ ଗେଲଙ୍କ ବିଳାସମୟ ବଙ୍ଗଳା । ପାହାଡ ଉପରେ ୩ ମହଲା ବଙ୍ଗଳାରେ ରହିଛି କଣ, ଯେଉଁଠି ମଜା କରନ୍ତି ସିକ୍ସର କିଙ୍ଗ?

406

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ୍ କ୍ରିସ୍ ଗେଲ ବ୍ୟାଟିଂକୁ ନେଇ ଯେତିକି ପ୍ରଂଶସା ସାଉଁଟିଛନ୍ତି ତାହା ଠାରୁ ଅଧିକ ନିଜର ବିଳାସମୟ ଜୀବନକୁ ନେଇ ସେତିକି ଚର୍ଚ୍ଚାରେ ରହିଥାନ୍ତି । ସବୁବେଳେ ଭିନ୍ନ ଭିନ୍ନ ଅନ୍ଦାଜରେ ରହିଥାନ୍ତି କ୍ରିସ୍ ଗେଲ । କେତେବେଳେ ଘରେ ପାର୍ଟି କରିଥାନ୍ତି ତ ପୁଣି କେତେବେଳେ ସମୁଦ୍ରକୂଳରେ ମଜା କରୁଥିବାର ଦେଖିବାକୁ ମିଳେ । କ୍ରିକେଟ ପଡିଆରୁ ସମୟ ମିଳିବା ମାତ୍ରେ ଗେଲ୍ ମଉଜମସ୍ତି କରିବାରେ ଟିକିଏ ବି ହେଳା କରନ୍ତି ନାହିଁ । ଟି-୨୦ କ୍ରିକେଟର ବାଦଶାହା କୁହାଯାଉଥିବା ଗେଲ କ୍ରିକେଟ କ୍ୟାରିୟରରେ ଯେଉଁଭଳି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ଠିକ୍ ସେହିଭଳି ତାଙ୍କର ଘର ମଧ୍ୟ ପାହାଡ ଉପରେ ରହିଛି । ଜାମାଇକାର ଏକ ପାହାଡ ଉପରେ ଗେଲଙ୍କ ବିଳାସମୟ ବଙ୍ଗଳା ରହିଛି । କେବଳ ଯେ ବିଳାସମୟ ଘର ତାହା ନୁହେଁ ବରଂ ଦାମୀ ଗାଡି ମଧ୍ୟ ଗେଲଙ୍କ ଘରେ ଶୋଭା ପାଉଛି । ଗେଲଙ୍କ ଘର କୌଣସି ବଡ ହୋଟେଲ ଠାରୁ ମଧ୍ୟ କମ ନୁହେଁ ।

ନିଜ ବିଳାସମୟ ଘର ଭିତରେ ଗେଲ ପାର୍ଟି କରିବାକୁ ବଡ ସ୍ଥାନ ରଖିଛନ୍ତି । ୩ ମହଲା ବିଶିଷ୍ଟ ଏହି ବଙ୍ଗଳାରେ ପୁଲ୍ ପାର୍ଟି ପାଇଁ ବିଶାଳକାୟ ସ୍ୱିମିଂ ପୁଲ ସହ ଡ୍ୟାନ୍ସ ଫ୍ଲୋର ମଧ୍ୟ ରଖିଛନ୍ତି ଗେଲ । ବଡ ବଡ ହୋଟେଲରେ ଯେଉଁଭଳି କ୍ଲବ ରହିଥାଏ ଗେଲଙ୍କ ଘରେ ମଧ୍ୟ ସେହିଭଳି କ୍ଲବ ରହିଛି । ଆଉ ଏହି ଆଲିଶାନ ବଙ୍ଗଳାର ଦାମ ୨୦ କୋଟି ଟଙ୍କାରୁ ଅଧିକ ବୋଲି କୁହାଯାଉଛି । ଅଧିକାଂଶ ସମୟ ଗେଲ ନିଜ ଘର ଓ ସ୍ୱିମିଂ ପୁଲ ସହ ଫଟୋ ସେୟାର କରିଥାନ୍ତି । ଯେଉଁଥିରେ ଗେଲଙ୍କ ଘର ବାବଦରେ ଜାଣିବାକୁ ପାଇଥାନ୍ତି ପ୍ରଂଶସକ ।

ୱେଷ୍ଟଇଣ୍ଡିଜର ଜାତୀୟ ଟିମ ବ୍ୟତୀତ କ୍ରିସ୍ ଗେଲ ୧୦ଟି ଦେଶର ୧୪ଟି ଫ୍ରାଞ୍ଚାଇଜ ପକ୍ଷରୁ ଟି-୨୦ ଖେଳି ସାରିଛନ୍ତି । ଭାରତ ସହ ପାକିସ୍ତାନ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଜାମାଇକା, ଇଂଲଣ୍ଡ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଭଳି ଦେଶରେ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି ଗେଲ । ଏପରିକି ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ସ୍କୋର ମଧ୍ୟ ଗେଲଙ୍କ ନାଁରେ ରହିଛି । ପିଲାବେଳେ ଗେଲଙ୍କ ଜୀବନେଶୈଳୀ ଏତେ ବିଳାସମୟ ନଥିଲା । ବାପା ପୋଲିସ ବିଭାଗରେ କାମ କରୁଥିବା ବେଳେ ମା ସ୍ନାକ୍ସ ବିକ୍ରି କରୁଥିଲେ । କିନ୍ତୁ କ୍ରିକେଟ ଗେଲଙ୍କ କ୍ୟାରିୟରକୁ ନୂଆ ମୋଡ ଦେଇଥିଲା । ବଦଳାଇ ଦେଇଥିଲା ଗେଲଙ୍କ ଲାଇଫଷ୍ଟାଇଲ । ଆଉ ଟି-୨୦ ଖେଳିବା ଗେଲଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ଟି-୨୦ରେ ଲମ୍ବା ଲମ୍ବା ଛକା ସହ ଦ୍ରୁତ ରନ୍ ସଂଗ୍ରହ କରିବା ଗେଲଙ୍କୁ ଟି-୨୦ କ୍ରିକେଟର ବେତାଜ ବାଦାଶାହା ବନାଇ ଦେଇଥିଲା ।