ରାଜପାକ୍ଷେଙ୍କ ଭବନରେ ବିଳାସପୂର୍ଣ୍ଣ କାର। ରାଷ୍ଟ୍ରପତି ଭବନରୁ ମିଳିଲା ୨ କୋଟି, ସେନାଙ୍କୁ ହସ୍ତାନ୍ତର କଲେ ପ୍ରଦର୍ଶନକାରୀ।

386

କନକ ବ୍ୟୁରୋ: ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେଙ୍କ ଭବନରେ ବିଳାସପୂର୍ଣ୍ଣ କାର । ଗୋଟିଏ ପଟେ ଲୋକଙ୍କ ପାଖରେ ଖାଇବାକୁ ନାହିଁ, ଆଉ ଏପଟେ ରାଷ୍ଟ୍ରପତିଙ୍କ ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ । ପାର୍କିଂରେ ରଖାଯାଇଥିବା ପ୍ରାୟ ୫୦ଟି କାରର ଦାମ ୫୦ କୋଟି ଟଙ୍କା ହେବ । କେବଳ କାର ନୁହେଁ, ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ କେଉଁଭଳି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ, ତା’ର ବିଭିନ୍ନ ଚିତ୍ର ସାମ୍ନାକୁ ଆସିଛି ।

ଗୋଟିଏ ପଟେ ଶ୍ରୀଲଙ୍କାରେ ଭୟଙ୍କର ଆର୍ଥିକ ସଂକଟ ଜାରି ରହିଥିବାବେଳେ, ରାଷ୍ଟ୍ରପତି ଭବନରେ ପ୍ରଦର୍ଶନକାରୀଙ୍କ ହାତରେ ଲାଗିଛି ପାଖାପାଖି ନଗଦ ୨ କୋଟି ଟଙ୍କା । ଟଙ୍କା ପାଇବା ପରେ ପ୍ରଦର୍ଶନକାରୀ ଟଙ୍କାଗୁଡ଼ିକୁ ଗଣୁଥିବାର ଭିଡିଓ ଭାଇରାଲ ହୋଇଛି । ବଡ଼ କଥା ହେଉଛି, ଟଙ୍କା ହାତରେ ଲାଗିବା ପରେ ସଚ୍ଚୋଟତା ଦେଖାଇଛନ୍ତି ପ୍ରଦର୍ଶନକାରୀ । ରାଷ୍ଟ୍ରପତି ଭବନରୁ ମିଳିଥିବା ୨ କୋଟି ଟଙ୍କାକୁ ପ୍ରଦର୍ଶନକାରୀ ସେନା ନିକଟରେ ଜମାକରିଥିବା ଜଣାପଡ଼ିଛି ।

ସେହିପରି ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରୁ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ରାଷ୍ଟ୍ରପତି ଭବନରେ ଥିବା ଲାଇବ୍ରେରୀରୁ ବହିଗୁଡ଼ିକ ବୋହି ନେଇଛନ୍ତି ପ୍ରଦର୍ଶନକାରୀ । ଲାଇବ୍ରେରୀରୁ ବହି ନେବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି । ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେଙ୍କ ଚେୟାର ଉପରେ ବସିବା ପରେ ହଜାର ହଜାର ପୁରୁଷ, ମହିଳା ଓ ଶିଶୁମାନେ ରାଜଭବନ ଆଗରେ ଛିଡ଼ା ହୋଇଥିଲେ । ସେହିପରି ପିଲା ଓ ଅଭିଭାବକମାନେ ଏକ ବିଶାଳ ପିଆନୋ ବଜାଇବର ମଜା ଉଠାଇଛନ୍ତି ।
ରାଜପ୍ରାସାଦର ଆକର୍ଷଣୀୟ ‘ଗର୍ଡନ୍ ଗାର୍ଡେନ’ ପାର୍କରେ ବିକ୍ଷୋଭକାରୀ ବଣଭୋଜି ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ହଜାର ହଜାର ସଂଖ୍ୟାରେ ପ୍ରଦର୍ଶନକାରୀ ରାଷ୍ଟ୍ରପତି ଯେଉଁ ମଜା ନିଅନ୍ତି, ତାଙ୍କ ଅନୁପସ୍ଥିତିରେ ଏଭଳି ମଜା ଉଠାଇଥିଲେ ।

ଏହାଛଡ଼ା ପ୍ରଦର୍ଶନକାରୀ ରାଷ୍ଟ୍ରପତି ଭବନ ପରିସରରେ ଥିବା ସୁଇମିଂପୁଲରେ ଗାଧୋଇଥିଲେ । ପରେ ସେମାନେ ରାଷ୍ଟ୍ରପତିଙ୍କ ବେଡ୍ରୁମ୍ ଓ କିଚେନ୍ରେ ମଧ୍ୟ ପଶିଥିଲେ । ରୋଷେଇ ଘରେ ଯାହା ଥିଲା, ଖାଇବାରେ ଲାଗିଥିଲେ । ବେଡ୍ରୁମ୍ରେ ଶୋଇ ସେମାନେ ସେଲଫି ନେଇଥିଲେ । ଏପରିକି ରାଷ୍ଟ୍ରପତିଙ୍କ ଜିମ୍ରେ ପଶି ୱାର୍କଆଉଟ୍ କରିଥିଲେ ବିକ୍ଷୋଭକାରୀ । ଜିମରେ ସେମାନେ ବିଭିନ୍ନ ଉପକରଣ ସହ ଜିମ୍ ଆଉଟ୍ କରିଥିଲେ ।

ଏକ ସମୟରେ ଅର୍ଥନୀତିରେ ଅପେକ୍ଷାକୃତ ମଜଭୁତ ଥିବା ଶ୍ରୀଲଙ୍କାର ଅର୍ଥନୀତି ଏତେ ତଳକୁ ଖସିଯିବ, ତାହା କେହି କଳ୍ପନା କରିନଥିବେ । ଆଉ ଏଭଳି ସଙ୍କଟ ସମୟରେ ନେତାମାନେ ଜନତାଙ୍କ କଥା ନଭାବି ନିଜର ବିଳାସପୂର୍ଣ୍ଣ ଜୀବନକୁ ଗୁରୁତ୍ୱ ଦେବା, ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।