କନକ ବ୍ୟୁରୋ: ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର ଭିତରକନିକାରେ ପ୍ରଥମଥର ଚାଲିବ ବିଳାସପୂର୍ଣ୍ଣ ବୋଟ୍ । ଜଙ୍ଗଲ ର ଶୂନ୍ୟତା ଭିତରେ ନଦୀ ମଧ୍ୟରେ ବିଳାସପୂର୍ଣ୍ଣ ବୋଟ୍ରେ ରାତ୍ରୀ ଜାପନ କରିବେ ଦେଶ ବିଦେଶର ପର୍ଯ୍ୟଟକ । ଏହା ମଧ୍ୟରେ ମିଳିବ ପଂଚତାରକା ହୋଟେଲର ସୁବିଧା ସୁଯୋଗ ସହ ଦେଶୀ ଓ ବିଦେଶୀ ଖାଦ୍ୟ ।

ବଉଳା କୁମ୍ଭୀରମାନଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା ଭିତରକନିକା ଜାତୀୟ ଉଦ୍ୟାନ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରେ । ବର୍ଷକୁ ବର୍ଷ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭିତରକନିକାର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାବେଳେ ପର୍ଯ୍ୟଟନ ବିଭାଗ ଭିତରକନିକାରେ ବିଳାସପୂର୍ଣ୍ଣ ବୋଟ୍ ଚଲାଇବାକୁ ଯାଉଛି । ଭିତରକନିକା, ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ୪ଟି ଅତ୍ୟାଧୁନିକ ବିଳାସପୂର୍ଣ୍ଣ ବୋଟ୍ ଚାଲିବ । ଯେଉଁଥିରେ ପର୍ଯ୍ୟଟକମାନେ ବୋଟ୍ ମଧ୍ୟରେ ନଦୀ ମଝିରେ ରାତ୍ରୀ ଯାପନ କରିପାରିବେ । ବୋଟ୍ ମଧ୍ୟରେ ସୋଲାର, ଜେନେରେଟର, ଏସି ଭଳି ବିଭିନ୍ନ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । କେବଳ ମାଂସକୁ ବାଦ୍ ଦେଇ ପର୍ଯ୍ୟଟକ ନିଜ ମନ ପସନ୍ଦର ସୁସ୍ୱାଦୁ ଖାଦ୍ୟ ପାଇପାରିବେ ।

ଭିତରକନିକାରେ ପୂର୍ବରୁ ଏହି ବିଳାସପୂର୍ଣ୍ଣ ବୋଟ୍ ଚାଲୁଥିଲେ ମଧ୍ୟ ପର୍ଯ୍ୟଟକ କେବଳ ଦିନବେଳା ଏଥିରେ ବୁଲିବାର ସୁଯୋଗ ପାଉଥିଲେ । କିନ୍ତୁ ୨୦୧୮ ମସିହାରୁ ଏହା ବନ୍ଦ ହୋଇଯାଇଥିଲା । ପୁନର୍ବାର ଏହି ବିଳାସପୂର୍ଣ୍ଣ ବୋଟ୍ ଭିତରକନିକାରେ ଚାଲିବାକୁ ଯାଉଛି । ଯେଉଁଥିରେ ପର୍ଯ୍ୟଟକମାନେ ରାତ୍ରୀ ଯାପନ କରିବା ପାଇଁ ସଂପୂର୍ଣ୍ଣ ସୁବିଧା ସୁଯୋଗ ଅଛି । ଭିତରକନିକାରେ ୪ଟି ବୋଟ୍ ଚାଲିବାକୁ ଥିବାବେଳେ ଖୁବଶୀଘ୍ର ଆଉ ଦୁଇଟି ବୋଟ୍ ଚାଲିବା ପାଇଁ ଯାଉଛି । ପ୍ରତି ବୋଟ୍ରେ ରହିଛି ୨ଟି ଲେଖାଏଁ ବେଡ୍ରୁମ, ଯେଉଁଥିରେ ୨ଜଣ ଲେଖାଏଁ ୪ଜଣ ପର୍ଯ୍ୟଟକ ରହିପାରିବେ । ପର୍ଯ୍ୟଟକମାନଙ୍କୁ ନଦୀ ଭିତରେ ଡାଙ୍ଗମାଳ, ହବାଳୀଖଟି ଓ ଗୁପ୍ତିରେ ରାତ୍ରୀ ଯାପନ କରିବା ପାଇଁ ସୁବିଧା ମିଳିପାରିବ । ପ୍ରତି ପର୍ଯ୍ୟଟକକୁ ଗୋଟିଏ ଦିନ ପାଇଁ ୨୫ ହଜାର ଟଙ୍କା ଦେବାପାଇଁ ପଡିବ ।

ଭିତରକନିକାରେ ଏହି ବିଳାସପୂର୍ଣ୍ଣ ବୋଟ୍ ଚାଲିବା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ ଦ୍ରୁତ ବିକାଶ ହେବା ସହ ଦେଶ ବିଦେଶରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ବୁଲି ଆସିପାରିବେ । ସରକାରଙ୍କ ଏଭଳି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପରିବେଶବିତ୍ ।