୧୯ ଘଂଟାର ସଫଳ ଅସ୍ତ୍ରୋପଚାର : ଅମ୍ରିତଙ୍କ ହେଲା ଫୁସଫୁସ୍ ପ୍ରତିରୋପଣ

ଚେନ୍ନାଇ ସ୍ଥିତ ଘରୋଇ ହସ୍ପିଟାଲରେ ହୋଇଛି ଅପରେସନ; ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁନଥିବାରୁ ପତିରୋପଣ ପାଇଁ ଡାକ୍ତର ଦେଇଥିଲେ ନିର୍ଦ୍ଦେଶ

435

କନକ ବ୍ୟୁରୋ : ଏକମୋରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନଙ୍କ ହେଲା ଫୁସଫୁସ୍ ପ୍ରତିରୋପଣ । ୧୯ ଘଂଟାର ଅପରେସନ୍ ପରେ ସଫଳତାର ସହ ଫୁସଫୁସ୍ ପ୍ରତିରୋପଣ କରାଯାଇଛି । କୋଭିଡରେ ଫୁସଫୁସ୍ ଜନିତ ସମସ୍ୟାରେ ପୀଡ଼ିତ ହୋଇଛନ୍ତି ଅମ୍ରିତ । ୧୪୧ ଦିନ ଧରି ଏକମୋ ଚିକିତ୍ସା ଚାଲିଥିବା ବେଳେ ବି ସ୍ୱାସ୍ଥ୍ୟରେ ସେଭଳି କିଛି ସୁଧାର ଆସିନଥିଲା । ଫୁସଫୁସ୍ ପ୍ରତିରୋପଣର ଆବଶ୍ୟକତା ଥିବା ପରାମର୍ଶ ଦେଇଥିଲେ ଚିକିତ୍ସା କରୁଥିବା ଡାକ୍ତର ।

ପରିବାର ଲୋକଙ୍କ ସୂଚନା ଅନୁସାରେ ସ୍ଥାନୀୟ ଅଂଚଳର ଜଣେ ଯୁବକ ଛାତରୁ ଖସି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚକିିତ୍ସିତ ହେଉଥିଲେ । ଦୀର୍ଘ ସମୟ ଧରି ଭେଂଟିଲେଟରରେ ରହିବା ପରେ ଜୀବନ ହାରିଥିଲେ । ସେହି ଯୁବକଙ୍କ ଫୁସଫୁସ୍ ପ୍ରତିରୋପଣ କରାଯାଇଛି । ଅମ୍ରିତଙ୍କ ଚିକିତ୍ସା ପାଇଁ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହେଲାଣି । ଅନଲାଇନ୍ ପେମେଂଟ ମାଧ୍ୟମରେ ଦେଢ କୋଟି ଟଙ୍କା ମିଳିଥିବା ବେଳେ ଆର୍ଥିକ ସହାୟତା ପାଇଁ ଅମ୍ରିତଙ୍କ ପରିବାର ଲୋକେ ନିବେଦନ କରିଛନ୍ତି ।

ତେବେ ସହାୟତା କରିବାକୁ ଚାହୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମନୀଷାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର – ୨୦୦୫୮୬୭୮୭୪୧, (ଆଇଏଫଏସସି କୋର୍ଡ-ଏସବିଆଇଏନ୍୦୦୦୫୪୫୭, ଶାଖା-ଖୋଡ଼ାସିଂ)ରେ ଟଙ୍କ‌ା ପଠାଇ ପାରିବେ ।

ସୂଚନାଯୋଗ୍ୟ, କରୋନାରେ ପୀଡ଼ିତ ହୋଇ ଅମ୍ରିତଙ୍କ ଫୁସଫୁସ୍‌ ସଂକ୍ରମିତ ହୋଇଥିଲା । ତାଙ୍କୁ ଏକମୋରେ ଚିକିତ୍ସା କରାଇବା ଜରୁରୀ ହୋଇପଡ଼ିବାରୁ ପରିବାରଲୋକ ଜୁନ୍ ୩ ତାରିଖ ଦିନ ଅମ୍ରିତଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଭୁବନେଶ୍ବର ଏମସରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ଚେନ୍ନାଇ ନିଆଯାଇଥିଲା । ସେଠାରେ ଦୀର୍ଘ ଦିନ ଧରି ତାଙ୍କର ଏକମୋ ଚିକିତ୍ସା ଚାଲିଥିଲା । ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ଅମ୍ରିତଙ୍କର ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇଥିଲା ।

ଏହା ପରେ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲା । ଫଳରେ ସେ ଠାର ମାଧ୍ୟମରେ କଥାବାର୍ତ୍ତା କରିପାରୁଥିଲେ । କିନ୍ତୁ ଫୁସଫୁସ୍‌ରେ କୌଣସି ପ୍ରକାର ଉନ୍ନତି ଦେଖା ନଦେବାରୁ ହସ୍ପିଟାଲ ପକ୍ଷରୁ ଫୁସଫୁସ୍ ପ୍ରତିରୋପଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ପରିବାର ଏବଂ ଅମ୍ରିତଙ୍କୁ ହସ୍ପିଟାଲ ପକ୍ଷରୁ କାଉନସେଲିଂ କରାଯାଇଥିଲା ।