କନକ ବ୍ୟୁରୋ : କରୋନା ସଂକ୍ରମଣ ପରେ ଏବେ ଦେଶରେ ବ୍ୟାପିବାରେ ଲାଗିଛି ‘ଲମ୍ପି ସ୍କିନ’ ସଂକ୍ରମଣ । କରୋନା ଭୂତାଣୁ ମଣିଷକୁ ସଂକ୍ରମିତ କରୁଥିବା ବେଳେ ‘ଲମ୍ପି ସ୍କିନ’ ଭୂତାଣୁ କେବଳ ଗୋରୁ ଗାଈଙ୍କୁ ସଂକ୍ରମିତ କରିବାରେ ଲାଗିଛି । ଏହି କ୍ରମରେ ଏବେ ରାଜସ୍ଥାନର ୩୩ ଟି ଜିଲ୍ଲା ମଧ୍ୟରୁ ୩୦ ଟି ଜିଲ୍ଲାରେ ଏଭଳି ସଂକ୍ରମଣ ଦେଖିବାକୁ ମିଳିଛି । ଏହି ‘ଲମ୍ପି ସ୍କିନ’ ସଂକ୍ରମଣ ଫଳରେ ରାଜସ୍ଥାନରେ ୩୦ ହଜାର ଗୋରୁଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏବେ ୭ ଲକ୍ଷ ଗୋରୁ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା କଥା କହିଛି ପଶୁପାଳନ ବିଭାଗ ।

Advertisment

ସେପଟେ ଏଭଳି ସଂକ୍ରମଣରୁ ଗୋରୁଙ୍କୁ ରକ୍ଷା କରିବାକୁ ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଆରମ୍ଭ ହୋଇଛି । ସରକାରଙ୍କ ତରଫରୁ ୮ ଲକ୍ଷ ଗୋଟ ପକ୍ସ ଟିକାର ଖୋରାକ ମଗା ଯାଇଛି  । ଏହାସହ ରାଜ୍ୟରେ ଥିବା ମୋଟ ୧.୩୯ କୋଟି ଗୃହପାଳିତ ପଶୁଙ୍କୁ ଏହି ଟିକା ଦେବା ପାଇଁ ରାଜ୍ୟ ସରକାର ୪୧ ଲକ୍ଷ ଟିକା କିଣିବାକୁ ପ୍ରସ୍ତୁତି ଆରମ୍ଭ କରିଛି ।

ରାଜ୍ୟ ପଶୁପାଳନ ବିଭାଗର ତରଫରୁ ଜାରି କରାଯାଇଥିବା ବୟାନ ମୁତାବକ ଏବେ ରାଜ୍ୟର ୩୩ ଜିଲ୍ଲା ମଧ୍ୟରୁ ୩୦ ଟି ଜିଲ୍ଲାରେ ପାଖାପାଖି ୭ ଲକ୍ଷ ଗୋରୁ ଏହି ଭୂତାଣୁ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏହାସହ ଏଭଳି ସଂକ୍ରମଣ କାରଣରୁ ୩୦ ହଜାର ଗୋରୁଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଇଛି ।

ରାଜ୍ୟ ପଶୁପାଳନ ବିଭାଗର ସଚିବ ପି.ସି କିଶନଙ୍କ କହିଛନ୍ତି କି ଏହି ଲମ୍ପି ସ୍କିନ ଭୂତାଣୁ ପ୍ରଥମେ ରାଜ୍ୟର ସୀମାବର୍ତ୍ତି ଜିଲ୍ଲାମାନଙ୍କରେ ଦେଖିବାକୁ ମିଳିଥିଲା । ହେଲେ ଟିକାକରଣ ଓ ଚିକିତ୍ସା କାରଣରୁ ଏବେ ସୀମାବର୍ତ୍ତୀ ଜିଲ୍ଲାମାନଙ୍କରେ ଗୋରୁମାନଙ୍କର ମୃତ୍ୟୁହାର କମିଛି ।