କନକ ବ୍ୟୁରୋ : ଓଡିଶା ରାଜନୈତିକ ଆକାଶରୁ ଅପସରି ଯାଇଛି ଏକ ଉଜ୍ୱଳ ନକ୍ଷତ୍ର । ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ପରି ବ୍ରହ୍ମଗିରିର ବାଦଶାହା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମାତ୍ର ୫୨ ବର୍ଷ ବୟସରେ ପରଲୋକ ହୋଇଛି । ଏହି ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମର ଶରୀର ଆଜି ଭୁବନେଶ୍ୱରରେ ପହଂଚିବ ।

Advertisment

ଗତକାଲି ତାଙ୍କର ୫୨ବର୍ଷ ବୟସରେ ଗୁରଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲରେ ପରଲୋକ ହୋଇଥିଲା । ରାତି ପ୍ରାୟ ୧୦ଟା ୨୫ ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୀର୍ଘଦିନ ଧରି ସେ ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ଦେହାନ୍ତ ଖବର ପହଂଚିବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । କଂଗ୍ରେସ ନେତା ଓ କର୍ମୀମାନେ ସ୍ତବ୍ଧ ହୋଇଯାଇଛନ୍ତି ।

ଲୁଲୁ ମହାପାତ୍ରଙ୍କୁ ଗତ ସେପ୍ଟେମ୍ବର ୨୧ରେ ଏୟାର ଆମ୍ବୁଲାନସ ଯୋଗେ ଭୁବନେଶ୍ୱରରୁ ଗୁରୁଗାଁଓ ନିଆଯାଇଥିଲା । ସେବେଠାରୁ ସେ ଚିକିତ୍ସାଧୀନ ଥିଲେ । ଗତକାଲି ସଂଧ୍ୟା ୭ଟା ପରଠାରୁ ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟିଥିଲା । ଡାକ୍ତରୀଦଳଙ୍କ ଶତ ଚେଷ୍ଟା ସତ୍ୱେ ତାଙ୍କୁ ବଂଚାଇବା ସଂଭବପର ହୋଇନଥିଲା । ଦେହାନ୍ତ ଖବର ମିଳିବା ପରେ ଲୁଲୁଙ୍କ ଶେଷଦର୍ଶନ ପାଇଁ ବହୁ ଜାତୀୟସ୍ତରୀୟ ନେତା ଗୁରୁଗାଁଓସ୍ଥିତ ମେଦାନ୍ତ ହସପିଟାଲରେ ପହଁଚିଥିଲେ । ସେହପରି ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ପହଂଚିଥିଲେ ।