ଲକ୍ଷ୍ନୌରେ ଯୁବତୀଙ୍କ ଠାରୁ ମାଡ ଖାଇଥିବା କାର ଡ୍ରାଇଭର କରିବେ ରାଜନୀତି । କହିଲେ ପୁରୁଷଙ୍କୁ ନ୍ୟାୟ ଦେବା ମୁଖ୍ୟ ଲକ୍ଷ୍ୟ ।

416

କନକ ବ୍ୟୁରୋ: ଏହି ସ୍ଲୋଗାନ ଦେଇ ରାଜନୀତି ରଣାଙ୍ଗନକୁ ଓହ୍ଲାଇଛନ୍ତି ଲକ୍ଷ୍ନୌରେ ମହିଳାଙ୍କ ଠାରୁ ବିଚ ରାସ୍ତାରେ ଚାପୁଡା ଖାଇଥିବା ଚର୍ଚ୍ଚିତ ଯୁବକ ସଆଦତ ଅଲ୍ଲି । ନିଜେ ଯେପରି ସର୍ବ ସମକ୍ଷରେ ଜଣେ ମହିଳାଙ୍କ ଦ୍ୱାରା ଅପମାନିତ ,ନିର୍ଯାତିତ ହୋଇଛନ୍ତି, ଆଉ କୌଣସି ପୁରୁଷ ଯେପରି ନିର୍ଯାତିତ ନହୁଅନ୍ତୁ ସେଥିପାଇଁ ଅଣ୍ଟା ଭିଡିଛନ୍ତି ସଆଦତ । ପୁରୁଷଙ୍କ ପାଇଁ ସ୍ୱର ଉଠାଇବେ । ଯେଉଁଠି ବି ପୁରୁଷଙ୍କ ଉପରେ କିଛି ଅନ୍ୟାୟ ହେବ ସେଠି ନ୍ୟାୟ ପାଇଁ କରିବେ ଲଢେଇ । ଏହି ଲକ୍ଷ୍ୟ ନେଇ ରାଜନୀତିରେ ପାଦ ଥାପିଛନ୍ତି ସଆଦତ୍ ।ଯୋଗ ଦେଇଛନ୍ତି ଶିବପାଲ ସିଂ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି ଦଳରେ ।

ସଆଦତଙ୍କ କହିବା କଥା , ସମାଜରେ ସବୁବେଳେ ମହିଳାଙ୍କ ସ୍ୱରକୁ ଗୁରୁତ୍ୱ ଦିଆଯାଉଛି । ହେଲେ ପୁରୁଷ ଯେତେ ନିର୍ଯାତିତ ହେଲେ ବି ତାଙ୍କ କଥା ଶୁଣିବାକୁ କେହି ନାହିଁ, ଯାହାର ଜ୍ୱଳନ୍ତ ଉଦହରରଣ ସେ ନିଜେ । ତାଙ୍କୁ ଏଯାଏଁ ନ୍ୟାୟ ମିଳିନାହିଁ । କିନ୍ତୁ ରାଜନୀତିରେ ପାଦ ଦେବା ପରେ ନିଜେ ନ୍ୟାୟ ପାଇବେ ତା’ ସହ ଅନ୍ୟ ପୁରୁଷଙ୍କୁ ବି ନ୍ୟାୟ ଦେବେ ବୋଲି କହିଛନ୍ତି ସଆଦତ୍ ।
ଜୁଲାଇ ୩୦ ତାରିଖର ସେହି ଘଟଣାକୁ ଭୁଲି ପାରୁନାହାଁନ୍ତି ସଆଦତ । କ’ଣ ଘଟିଥିଲା ତାଙ୍କ ସହ..ଲକ୍ଷ୍ନୌର ଗହଳି ରାସ୍ତା । କ୍ୟାବ ନେଇ ଯାଉଥିଲେ ସଆଦତ୍ । ହଠାତ୍ ପ୍ରିୟଦର୍ଶିନୀ ଯାଦବ ନାମକ ଯୁବତୀ ତାଙ୍କ ଗାଡିକୁ ରୋକିଥିଲେ ।

ଆଉ କିଛି ବୁଝିବା ପୂର୍ବରୁ ସ୍ରାଦତଙ୍କ ଗାଲରେ ଚାପୁଡା ପରେ ଚାପୁଡା ବର୍ଷା କରିଥିଲେ । ସଆଦତଙ୍କୁ ନା କେହି ସୁରକ୍ଷା ଦେବାକୁ ଆସିଥିଲେ ନା କେହି କାରଣ ଜାଣିବାକୁ ଚେଷ୍ଟା କରିଥିଲେ । ପୋଲିସ ବି ଠିକ ସମୟରେ ପହଞ୍ଚଞ୍ଚିନଥିଲା । ଆଉ ପହଞ୍ଚିଲାବେଳକୁ ଚାପୁଡା ଖାଇ ସଆଦତଙ୍କ ଅବସ୍ଥା ଘାଇଲା ହୋଇଯାଇଥିଲା । ପ୍ରିୟଦର୍ଶୀନି କେବେ ତାଙ୍କୁ ଚାପୁଡା ମାରୁଥିଲେ ତ କେତେବେଳେ ତାଙ୍କ କଲର ଧରି ଘୋଷାଡି ନେଉଥିଲେ । ଘଟଣାରେ ପୋଲିସ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଓଲଟି ସଆଦତଙ୍କୁ ତାଗିତ କରି ଥାନାକୁ ନେଇଯାଇଥିଲା । ହେଲେ ଏହି ଭିଡିଓ ସାରା ଦେଶରେ ଭାଇରାଲ ହେବା ପରେ ପୋଲିସ ଜାଣିଥିଲା ପ୍ରକୃତ ଘଟଣା । ଏହାପରେ ଯୁବତୀଙ୍କ ନାଁରେ ଲୁଟ, ମାରପିଟ ଓ ଅନ୍ୟ ଧାରାରେ ମାମଲା ଦାଏର କରିଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

ସେଦିନର ଆଘାତକୁ ଆଜିଯାଏଁ ମନରେ ଚାପିରଖିଛନ୍ତି ସଆଦତ ।ଆଉ ନ୍ୟାୟପାଇବାକୁ ଛଟପଟ ହେଉଛନ୍ତି । ନ୍ୟାୟ ପାଇଁ ରାଜନୀତିକୁ କରିଛନ୍ତି ମାଧ୍ୟମ । ରାଜନୀତି ଭିତରେ ରହି ପୁରୁଷଙ୍କ ପକ୍ଷରେ ଲଢିବାକୁ ପଣ କରିଛନ୍ତି ।