କନକ ବ୍ୟୁରୋ : ଲୁଧିଆନା ଜିଲ୍ଲା କୋର୍ଟରେ ହୋଇଥିବା ବିସ୍ଫୋରଣରେ ଆସିଛି ସାଂଘାତିକ ସତ । ବିସ୍ପୋରଣ ପଛରେ ଖଲିସ୍ଥାନୀ ଲିଙ୍କ୍ ରହିଥିବା ସୂଚନା ରହିଛି । ମୁଖ୍ୟ ଷଡଯନ୍ତ୍ରକାରୀ ଯଦିଓ ପ୍ରାଣ ହରାଇଛି ହେଲେ କାହିଁକି ସେ କୋର୍ଟ ପରିସରରେ ବିସ୍ଫୋରଣ କଲା ତାହା ଏବେ ବଡ ପ୍ରଶ୍ନ । ଯାହାର ଖିଅ ଖୋଜୁଛି ତଦନ୍ତକାରୀ ଟିମ୍ ।

Advertisment

ଲୁଧିଆନା ବିସ୍ଫୋରଣ, ସାମ୍ନାକୁ ଆସୁଛି ସାଙ୍ଘାତିକ ସତ । ବିସ୍ଫୋରଣ ପଛରେ ଖଲିସ୍ଥାନୀ ଲିଙ୍କ୍ ! ୨୦୧୯ ଡ୍ରଗ୍ସ କେସ ମାମଲାରେ ଯେଉଁ ବ୍ୟକ୍ତି ଗିରଫ ହୋଇଥିଲେ, ସେହି ବ୍ୟକ୍ତି ହେଉଛନ୍ତି ଲୁଧିଆନା କୋର୍ଟ ବିସ୍ଫୋରଣ ପଛର ଷଡଯନ୍ତ୍ରକାରୀ । ଯିଏକି ଘଟଣାସ୍ଥଳରେ ପ୍ରାଣ ହରାଇଛି । ପୁଲିସ, ଏନଆଇଏ ଏବଂ ଏନଏସଜିର ତଦନ୍ତ ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ଖାଲି ଏତିକି ନୁହେଁ ମୃତ ଷଡଯନ୍ତ୍ରକାରୀ ଗଗନଦୀପ ସିଂହ ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥିବା ସନ୍ଦେହ କରାଯାଉଛି । ଗଗନଦୀପ ପାଖରୁ ସେତେବେଳେ ୭୮୦ ଗ୍ରାମର ହେରୋଇନ ଜବତ ହେବା ପରେ ତାକୁ ଚାକିିରିରୁ ବହିଷ୍କୃତ କରାଯାଇଥିଲା ।

ଗୁଇନ୍ଦା ବିିଭାଗର ସୂଚନା ଅନୁସାରେ, ଖଲିସ୍ଥାନୀ ଆତଙ୍କବାଦୀ ସମର୍ଥକ ଯଶବିନ୍ଦର ସିଂ ମୁଲ୍ଲାନି ଘଟଣାର ମାଷ୍ଟରମାଇଣ୍ଡ ବୋଲି ସ୍ପଷ୍ଟ ହୋଇଛି । ଏହାପରେ ଗଗନଦୀପର ଗୁରୁଦାସପୁର ଘରକୁ ଯାଇଛି ତଦନ୍ତକାରୀ ଟିମ୍ । ଯଶବିନ୍ଦର ସିଂ ବିଭିନ୍ନ ସମୟରେ ଭାରତକୁ ବେଆଇନ ଅସ୍ତ୍ର କାରବାର ଓ ବିସ୍ଫୋରକ ସାମଗ୍ରୀ ଓ ସ୍ମଗଲିଙ୍ଗ କାରବାର ସହିତ ଜଡିତ ଥିବା ଜଣାପଡିଛି । କୋର୍ଟରେ ବିସ୍ଫୋରଣ କରିବା ପଛରେ କ’ଣ ରହିଥିଲା ଉଦ୍ଦେଶ୍ୟ? ଆଗକୁ ଏପରି କିଛି ବିସ୍ଫୋରଣ କରିବାକୁ ଯୋଜନା ଥିଲା କି? ବୋଲି ପ୍ରଶ୍ନ ଉଠିଛି । ଯାହାର ଖିଅ ଖୋଜୁଛି ତଦନ୍ତକାରୀ ଟିମ୍ ।