ଆସ୍ଥା ଓ ପର୍ଯ୍ୟଟନର କେନ୍ଦ୍ର ବନିବ ୧୦୮ ଫୁଟ୍ ଲମ୍ବା ହନୁମାନ ମୂର୍ତ୍ତି । ଜାଣନ୍ତୁ, ଉତ୍ତରପ୍ରଦେଶର ହନୁମନ୍ତ ଧାମର ଖାସ୍ କଥା…

49

କନକ ବ୍ୟୁରୋ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା ହନୁମନ୍ତ ଧାମ ଏବେ ଲୋକଙ୍କ ପାଇଁ ନୂଆ ପର୍ଯ୍ୟଟନସ୍ଥଳୀ ହେବାକୁ ଯାଉଛି । ଯାହାକୁ କି ୨୦୨୨ ମସିହା ଜୁଲାଇ ୬ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶିଳାନ୍ୟାସ କରିଥିଲେ । ଏହାପରେ ଭକ୍ତଙ୍କ ପାଇଁ ଏହି ମନ୍ଦିରକୁ ଖୋଲି ଦିଆଯାଇଛି । ତେବେ ଜାଣିରଖିବା ଉଚିତ୍ ଯେ, ଏହି ଆଶ୍ରମ ପାଖାପାଖି ୪ଶହ ବର୍ଷ ତଳର । ଯାହାର ସୌନ୍ଦର୍ଯ୍ୟକରଣ କରାଯିବା ସହିତ ଏହାକୁ ଏବେ ଭକ୍ତଙ୍କ ପାଇଁ ଖୋଲାଯାଇଛି ।

ଏହି ସ୍ଥାନର ଖାସ୍ କଥା ଏହା ଯେ, ଏଠାରେ ହନୁମାନଙ୍କର ଲକ୍ଷାଧିକ ଛୋଟ ବଡ ପ୍ରତିମା ରହିଛି । ହନୁମାନଙ୍କ ବିଭିନ୍ନ ମୁଦ୍ରାରେ ସେଠାରେ ଦେଖିବାକୁ ମିଳିବେ । ତେବେ ସେଠାରେ ୧୦୮ ଫୁଟ୍ ଲମ୍ବା ହନୁମାନଙ୍କର ମୂର୍ତ୍ତି ସ୍ଥାପନ କରାଯାଉଛି । ଯାହାକି ଆଗାମୀ ଦିନରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ।

ହନୁମନ୍ତ ଧାମ ଗୋମତୀ ନଦୀ କୂଳରେ ରହିଛି । ଯେଉଁଠି କି ୪୦୦ରୁ ଅଧିକ ରୁଷ ଓ ପଣ୍ଡିତ ତପସ୍ୟା କରୁଥିଲେ । ସେହିମାନେ ହିଁ ସେଠାରେ ହନୁମାନଙ୍କର ପ୍ରତିମା ସ୍ଥାପନ କରିଥିଲେ । ଯାହାକି ଗର୍ଭଗୃହରେ ଏବେ ବି ପୂଜା ପାଉଛି । ଗର୍ଭଗୃହ ଭିତରେ ପୂଜା ପାଉଥିବା ହନୁମାନ ପ୍ରତିମା ପୂର୍ବମୁଖୀ ହୋଇଥିବାବେଳେ, ନୂଆ ନିର୍ମାଣ ହେଉଥିବା ହନୁମାନ ପ୍ରତିମା ଦକ୍ଷିଣ ମୁଖୀ ଅଟେ । ତେବେ ଏହି ସ୍ଥାନର ସୌନ୍ଦର୍ଯ୍ୟକରଣ କରାଯିବା ପରେ ଏକାଥରକେ ୫ ହଜାର ଲୋକ ଏଠାରେ ପ୍ରଭୁଙ୍କର ଦର୍ଶନ କରିପାରିବେ ।

ଜାଣିରଖିବା ଉଚିତ୍ ଯେ, ହନୁମନ୍ତ ଧାମ ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ଖୋଲିସାରିଛି । ସକାଳ ୮ଟାରୁ ୧୨ଟା ଓ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ମନ୍ଦିରରେ ଭକ୍ତିମାନେ ପ୍ରବେଶ କରିପାରିବେ ।