କନକ ବ୍ୟୁରୋ : ଚିକିତ୍ସା ବିଜ୍ଞାନରେ ଭାରତୀୟ ଡାକ୍ତରମାନେ ଅନେକ ସଫଳତା ହାସଲ କରିଛନ୍ତି । ହେଲେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ସଫଳତା କଥା କହିବାକୁ ଯାଉଛୁ ତାହା ଏକ ସ୍ୱତନ୍ତ୍ର ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଡାକ୍ତରମାନେ ଆଗରୁ ମେସିନ ସହାୟତାରେ ଅନେକ ଅପରେଶନ କରିଥିବା କଥା ଆପଣ ଜାଣିଥିବେ, ହେଲେ ରୋବର୍ଟ ମାଧ୍ୟମରେ ଅପରେଶନ କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

Advertisment

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରେ ଥିବା ସଂଜୟ ଗାନ୍ଧୀ ଆର୍ୟୁବିଜ୍ଞାନ ସଂସ୍ଥାନ (ଏସଜିପିଜିଆଇ)ରେ ଜଣେ ୪୨ ବର୍ଷିୟ ମହିଳାଙ୍କ କିଡନୀ ପ୍ରତିରୋପଣ ରୋବର୍ଟ ମାଧ୍ୟମରେ କରାଯାଇଛି । ନେଫ୍ରୋଲୋଜି, ୟୁରୋଲୋଜି ଓ ଏନାଥେସିଆ ବିଭାଗର ଡାକ୍ତରମାନେ ରୋବଟିକ୍ ମାଧ୍ୟମରେ ଏଭଳି ବିରଳ ଅପରେଶନ କରିବାରେ ସଫଳ ହୋଇଛନ୍ତି ।

ଏସଜିପିଜିଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବାରବାଙ୍କିରେ ରହୁଥିବା ଜଣେ ୪୨ ବର୍ଷିୟ ମହିଳାଙ୍କ କିଡନୀ ପ୍ରତିରୋପଣ ରୋବଟିକ ମାଧ୍ୟମରେ କରାଯାଇଛି । ଏନେଇ ବିଭାଗୀୟ ମୁଖ୍ୟ ଡାକ୍ତର ଅନିଶ ଶ୍ରୀବାସ୍ତବ କହିଛନ୍ତି କି, ଏହି କିଡନୀ ପ୍ରତିରୋପଣ ପାଇଁ କିଡନୀର ଆବଶ୍ୟକତା ଥିବା ବେଳେ ମହିଳାଙ୍କ ୬୬ ବର୍ଷିୟ ମା’ କିଡନୀ ଦାନ କରିଛନ୍ତି । କିଡନୀ ମିଳିବା ପରେ ରୋବଟିକ୍ ମାଧ୍ୟମରେ ମହିଳାଙ୍କ କିଡନୀ ପ୍ରତିରୋପଣ କରାଯାଇଛି । ଏବେ କିଡନୀ ଦାତା ଓ କିଡନୀ ଗ୍ରହଣ କରିଥିବା ମହିଳା ସୁସ୍ଥ ଅଛନ୍ତି । ଏହାସହ ସେମାନେ ଏବେ ୧୦/୧୨ ଦିନ ମେଡିକାଲରେ ରହିବେ ବୋଲି ଶ୍ରୀବାସ୍ତବ କହିଛନ୍ତି । ସେ ଆହୁରି କହିଛନ୍ତି କି ରୋବଟିକ୍ ମାଧ୍ୟମରେ ଏହି ଅପରେଶନ ପାଖା ପାଖି ୫ ଘଂଟା ସମୟ ଲାଗିଥିଲା ।