କନକ ବ୍ୟୁରୋ : ଉତ୍ତରପ୍ରଦେଶର ଆଗ୍ରାଠାରେ ଥିବା ପାରସ ହସ୍ପିଟାଲରେ ହୋଇଥିବା ଅକ୍ସିଜେନ କାଣ୍ଡକୁ ନେଇ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀ ପାରସ ହସ୍ପିଟାଲର ଏକ ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ପୋଲିସ ହସ୍ପିଟାଲକୁ ସିଲ୍ କରିଛି । ଏହାସହ ହସ୍ପିଟାଲ ପରିଚାଳକଙ୍କ ଉପରେ ମହାମାରୀ ଆଇନ ମୁତାବକ  ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

Advertisment

ସୂଚନା ଥାଉକି ଶ୍ରୀ ପାରସ ହସ୍ପିଟାଲର ଏକ ଭିଡିଓ ଭାଇରାଲ ହୋଇଥିଲା । ସେହି ଭିଡିଓରେ ଅକ୍ସିଜେନ ସଂକଟ ଭିତରେ ମକଡ୍ରିଲ କରାଯିବା କଥା କୁହାଯାଉଛି । ଏହି ମକଡ୍ରିଲ ବେଳେ ୫ ମିନିଟରେ ୨୨ ଜଣ ରୋଗୀଙ୍କର ଜୀବନ ଯାଇଥିଲା । ଏହି ଭିଡିଓରେ ହସ୍ପିଟାଲର ପରିଚାଳକ ଅନ୍ୟ ଜଣକୁ କହୁଛି କି ୨୨ ଜଣ ଲୋକ ମରିଗଲେ । ଏହି କଥାବାର୍ତ୍ତା  ଏପ୍ରିଲ ୨୬/୨୭ ର ବୋଲି ଜଣାପଡିଛି । ମେଡିକାଲ ମାନଙ୍କରେ ସେତେବେଳେ ଦେଖାଦେଇଥିବା ଅକ୍ସିଜେନ ସଂକଟ ଭିତରେ ସରକାରୀ ରେକର୍ଡ କହୁଛି କି ଏପ୍ରିଲ ୨୬ ଓ ୨୭ ତାରିଖରେ ସେହି ହସ୍ପିଟାଲରେ ଅକ୍ସିଜେନ ସଂକଟ ଦେଖାଦେଇଥିଲା । ହେଲେ ପ୍ରଶାସନ ତରଫରୁ ମେଡିକାଲକୁ ଅନବରତ ଅକ୍ସିଜେନ ପହଂଚାଇବାରେ ଲାଗିଥିଲେ । ହେଲେ ଭିଡିଓରେ ଥିବା ଅଡିଓରେ କୁହାଯାଉଛି କି କିଛି ସମୟ ଅକ୍ସିଜେନ ବନ୍ଦ କରି ଦେଖ କେତେ ଲୋକ ମରୁଛନ୍ତି । ଅକ୍ସିଜେନର ଏଭଳି ୫ ମିନିଟ୍ ମକଡ୍ରିଲ ଫଳରେ ୨୨ ଜଣ ଲୋକଙ୍କର ଜୀବନ ଯାଇଥିବା କୁହାଯାଇଛି । ଏହାକୁ ନେଇ ଯୋଗୀ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ସିଦ୍ଧାର୍ଥ ରାୟ କହିଛନ୍ତି କି ଏହା ଏକ ଅକ୍ଷମଣୀୟ ଅପରାଧ , ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଭଳି ଘଟଣା ପଦାକୁ ଆସିବା ପରେ ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି କି, ପ୍ରଶାସନ ତରଫରୁ ଏଭଳି ଅମାନବିକ ଅପରାଧରେ ସଂପୃକ୍ତ ଥିବା ଲୋକମାନଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସେ ବିଜେପିକୁ ଟାର୍ଗେଟ କରି ଲେଖିଛନ୍ତି କି “ବିଜେପି ଶାସନରେ ଅକ୍ସିଜେନ ସହିତ ମାନବିକତା ବି ମହଙ୍ଗା ହୋଇଛି ” । ଏହାସହ ଏଭଳି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ରାହୁଲ ଗାନ୍ଧୀ ଟ୍ୱିଟ୍ ଯୋଗେ ସମବେଦନା ଜଣାଇଛନ୍ତି ।