କନକ ବ୍ୟୁରୋ : ଖୁବଶୀଘ୍ର ହେବ ଆଇପିଏଲ ମହାନିଲାମୀ । ଚଳିତଥର ୧୦ଟି ଟିମ୍ ମହାନିଲାମୀରେ ଭାଗ ନେବେ । ତେବେ ପୁରୁଣା ୮ଟି ଟିମ୍ ପାଖରେ ୪ ଜଣ ଖେଳାଳୀଙ୍କୁ ରିଟେନ କରିବାର ସୁଯୋଗ ରହିଛି । ସର୍ବାଧିକ ୩ ଜଣ ଭାରତୀୟ ଓ ୨ ଜଣ ବିଦେଶୀ ଖେଳାଳୀଙ୍କୁ ରିଟେନ କରିପାରିବେ ପୁରୁଣା ଦଳ । ସେହିଭଳି ରିଲିଜ ହୋଇଥିବା ଖେଳାଳୀଙ୍କ ମଧ୍ୟରୁ ୩ ଜଣ ଖେଳାଳୀଙ୍କୁ ମହାନିଲାମୀ ପୂର୍ବରୁ ଆଗୁଆ କିଣିପାରିବେ ୨ଟି ନୂଆ ଦଳ । ତେବେ ଆଇପିଏଲ ମହାନିଲାମୀ ପୂର୍ବରୁ ନୂଆ କରି ସାମିଲ ହୋଇଥିବା ୨ଟି ଦଳ କାହାକୁ ନିଜ ଟିମରେ ସାମିଲ କରିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ଚର୍ଚ୍ଚାର ଶିରୋନାମାରେ ରହିଛନ୍ତି ପଞ୍ଜାବ ଟିମର ଅଧିନାୟକ କେ.ଏଲ ରାହୁଲ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପଞ୍ଜାବ ଟିମର ହାତ ଛାଡି ପାରନ୍ତି ରାହୁଲ । ଯେହେତୁ ରିଟେନ ଖେଳାଳୀଙ୍କ ତାଲିକା ସାମ୍ନାକୁ ଆସିନି ତେଣୁ ଏ ବାବଦରେ ସ୍ପଷ୍ଟ ସୂଚନା ମିଳିନି ।

Advertisment

ଅନ୍ୟପଟେ ଲକ୍ଷ୍ନୌ ଟିମ୍ ଯେଉଁ ଖେଳାଳୀଙ୍କୁ କିଣିବାକୁ ଚାହୁଁଛି ତାହା ମଧ୍ୟରେ ରାହୁଲଙ୍କ ନାଁ ଶୀର୍ଷରେ ଥିବା କୁହାଯାଉଛି । ଏପରିକି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲକ୍ଷ୍ନୌ ଟିମ୍ ନିଜ ଦଳରେ ରାହୁଲଙ୍କୁ ସାମିଲ କରିବାକୁ ୨୦ କୋଟି ଅଫର ଦେଇଥିବା ଚର୍ଚ୍ଚା ହେଉଛି । ରାହୁଲ ଏବେ ୧୧ କୋଟି ଟଙ୍କା ପାରିଶ୍ରମିକରେ ପଞ୍ଜାବ ପକ୍ଷରୁ ଖେଳୁଛନ୍ତି । ଯଦି ପଞ୍ଜାବ ରାହୁଲଙ୍କୁ ରିଟେନ କରେ ତେବେ ନିୟମ ଅନୁଯାୟୀ ସର୍ବାଧିକ ୧୬ କୋଟି ଟଙ୍କା ପାଇବେ । କିନ୍ତୁ ଲକ୍ଷ୍ନୌ ଟିମ୍ ଏବେ ରାହୁଲଙ୍କୁ ପାଉଥିବା ପାରିଶ୍ରମିକରୁ ୯ କୋଟି ଅଧିକ ପାରିଶ୍ରମିକ ଅଫର କରିଥିବା ଚର୍ଚ୍ଚା ହେଉଛି । ଯେହେତୁ ରାହୁଲ ଗତ ୪ଟି ସିଜିନରେ ଲଗାତାର ଦମଦାର ପ୍ରଦର୍ଶନ କରି ଆସୁଛନ୍ତି ତେଣୁ ତାଙ୍କୁ ଦଳରେ ସାମିଲ କରିବାକୁ ପ୍ରତିଟି ଫ୍ରାଞ୍ଜାଇଜ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିପାରେ ।

ସେହିଭଳି ସନରାଇଜର୍ସ ହାଇଦ୍ରାବାଦର ବୋଲର ରସିଦ ଖାନଙ୍କୁ ମଧ୍ୟ ଲକ୍ଷ୍ନø ଟିମ୍ ପୋଚିଂ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାହୁଲଙ୍କ ପରେ ରସିଦ ଖାନଙ୍କୁ ନିଜ ଟିମରେ ସାମିଲ କରିବାକୁ ୧୬ କୋଟି ଟଙ୍କାର ଅଫର ଦେଇଥିବା ଚର୍ଚ୍ଚା ହେଉଛି । ଏବେ ହାଇଦ୍ରାବାଦ ଦଳରେ ରସିଦ ଖାନଙ୍କୁ ୯ କୋଟି ଟଙ୍କା ମିଳୁଛି । ଯଦି ରସିଦ ଖାନଙ୍କୁ ଦଳ ରିଟେନ କରେ ତେବେ କେତେ ନମ୍ବର ଖେଳାଳୀ ଭାବେ ରିଟେନ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେଣୁ ରସିଦ ଖାନ୍ ଲକ୍ଷ୍ନୌ ମୁହାଁ ହେବାର ଯଥେଷ୍ଟ ସମ୍ଭାବନା ଥିବା କୁହାଯାଉଛି । ତେବେ ରିଟେନ ପ୍ରକ୍ରିୟାର ଶେଷ ତାରିଖ ନଭେମ୍ବର ୩୦ ରହିଥିବା ବେଳେ ଏହାପରେ ପୂରା ସ୍ପଷ୍ଟ ଚିତ୍ର ମିଳିପାରିବ ।

ରାହୁଲ ଓ ରସିଦଙ୍କ ବ୍ୟତୀତ ଅନ୍ୟ ଖେଳାଳୀଙ୍କ ଉପରେ ମଧ୍ୟ ଏଥର ଟଙ୍କା ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଖାସକରି ଯେଉଁମାନଙ୍କୁ ଫ୍ରାଞ୍ଚାଇଜ ରିଲିଜ କରିବାର ଯଥେଷ୍ଟ ଅଧିକ ସମ୍ଭାବନା ରହିଛି । ଯେଉଁମାନଙ୍କ ମଧ୍ୟରେ ଡେଭିଡ ୱାର୍ଣ୍ଣର, ଶ୍ରେୟସ ଆୟର, ଶିଖର ଧୱନଙ୍କ ଭଳି ଖେଳାଳୀ ରହିଛନ୍ତି । ଏହାଛଡା କିଛି ବିଦେଶୀ ଖେଳାଳୀଙ୍କ ଉପରେ ମଧ୍ୟ ଫ୍ରାଞ୍ଚାଇଜଙ୍କର ନଜର ରହିବ । ଚଳିତ ଆଇପିଏଲ ମହାନିଲାମୀରେ ପ୍ରତ୍ୟେକ ଦଳ ୯୦ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ । କୌଣସି ଫ୍ରାଞ୍ଚାଇଜ ଖେଳାଳୀଙ୍କୁ ରିଟେନ କଲେ ୯୦ କୋଟି ଟଙ୍କାରୁ ହିଁ ନିର୍ଦ୍ଧାରିତ ରାଶି ଖର୍ଚ୍ଚ କରିବେ । ଏଭଳିସ୍ଥଳେ ପ୍ରତ୍ୟେକ ଫ୍ରାଞ୍ଚାଇଜ ଭାବିଚିନ୍ତି ଖେଳାଳୀଙ୍କୁ ରିଟେନ କରିବାକୁ ଉଦ୍ୟମ ଚଳାଇଛନ୍ତି ।