ଭୋକିଲାଙ୍କ ଅନ୍ନଦାତା ! ପ୍ରତିଦିନ ୯୦୦ ରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଏ ଲକ୍ଷ୍ନୌର ଏହି “ଫୁଡ୍ ମ୍ୟାନ୍” ।

145

ମାନବିକତା ହିଁ ମଣିଷର ଶ୍ରେଷ୍ଠ ଧର୍ମ ଏବଂ ଏହି କଥାକୁ ଚରିତାର୍ଥ କରି ଦେଖାଇଛନ୍ତି ଲକ୍ଷ୍ନୌର ବିଶାଳ ସିଂହ । ଲକ୍ଷ୍ନୌ ସହରର ସରକାରୀ ଡାକ୍ତରଖାନାରେ ଚିକିତ୍ସୀତ ହେଉଥିବା ଲୋକଙ୍କ ପରିଜନଙ୍କ ପାଇଁ ଅନ୍ନଦାତା ପାଲଟିଛନ୍ତି ଏହି ଯୁବକ । ଡାକ୍ତରଖାନାରେ ରୋଗୀଙ୍କ ପରିଜନଙ୍କୁ ସେ ମାଗଣାରେ ଖାଦ୍ୟ ଯୋଗାଇ ଆସୁଛନ୍ତି । ଏନେଇ ବିଶାଳ କୁହନ୍ତି , ଛୋଟ ଥିଲାବେଳେ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଗୁରୁଗ୍ରାମ୍ ହସ୍ପିଟାଲରେ ବାପାଙ୍କ ପାଖରେ ରହୁଥିଲେ । ଏହି ସମୟରେ ପିତାଙ୍କ ଦେହାନ୍ତ ମଧ୍ୟ ହୋଇଯାଇଥିଲା । ତେବେ ଚିକିତ୍ସା ସମୟରେ ସବୁ ଟଙ୍କା ଖର୍ଚ୍ଚ ହୋଇଯାଇଥିବାରୁ ହସ୍ପିଟାଲରେ ତାଙ୍କୁ ଭୋକପେଟରେ ଶୋଇବାକୁ ପଡୁଥିଲା । କେବଳ ସେ ନୁହଁ ହସ୍ପିଟାଲକୁ ଆସୁଥିବା ପ୍ରତିଟି ରୋଗୀଙ୍କ ପରିଜନଙ୍କ ଏହି ଅବସ୍ଥା ହିଁ ଥିଲା । ଏହାପରେ ସେ ପ୍ରତିଜ୍ଞା କରିଥିଲେ ଯେ କୌଣସି ରୋଗୀଙ୍କ ପରିଜନଙ୍କୁ ଭୋକରେ ରହିବାକୁ ଦେବେ ନାହିଁ । ଆଜିର ସମୟରେ ବିଶାଳ ଲକ୍ଷ୍ନୌର ୩ ଟି ବଡ ହସ୍ପିଟାଲରେ ପ୍ରତିଦିନ ପାଖାପାଖି ୯୦୦ ଲୋକଙ୍କୁ ଭୋଜନ ବାଣ୍ଟିବାର ବ୍ୟବସ୍ଥା କରିଥାନ୍ତି ।

ପିତାଙ୍କ ଦେହାନ୍ତ ପରେ ସେ ଲକ୍ଷ୍ନୌ ଆସି ସାଇକେଲ୍ ଷ୍ଟାଣ୍ଡରେ ଟୋକନ୍ ଲଗାଇବା କାମ କଲେ । ଚା’ ମଧ୍ୟ ବିକ୍ରି କଲେ । ନିଜ ସ୍ୱଳ୍ପ ଆୟରେ ସଂଘର୍ଷ କରି ସେ ଭୋକିଲାଙ୍କୁ ଖାଇବାକୁ ଦେଉଥିଲେ । ଧିରେ ଧିରେ ତାଙ୍କ କାମରେ ଉନ୍ନତି ହେବା ସହ ଘରେ ଖାଦ୍ୟ ପ୍ରସ୍ତୁତ କରି ସେ ଭୋକିଲାଙ୍କୁ ଖାଇବାକୁ ଦେଉଥିଲେ । ୨୦୦୫ ରେ ବିଜୟ ଶ୍ରୀ ଫାଉଣ୍ଡେସନ୍ ଆରମ୍ଭ କରି ସେ ମେଡିକାଲ୍ କଲେଜ୍ ରେ ଏହି ମହତ୍ କାମର ଆରମ୍ଭ ଶୁଭାରମ୍ଭ କଲେ । ହସ୍ପିଟାଲରେ ପ୍ରଥମେ ପ୍ରଥମେ ୩୦୦ ଏବେ ଏହା ବଢି ୩ ଟି ବଡ ହସ୍ପିଟାଲ୍ ସହ ପରିଜନଙ୍କ ସଂଖ୍ୟା ୯୦୦ରୁ ଉଦ୍ଧ୍ୱର୍ ହୋଇଗଲାଣି । ବିଶାଳ ସିଂହ ଏବେ ସେଣ୍ଟଲାଇଜ୍ କିଚନ୍ ପ୍ରସ୍ତୁତ କରିଛନ୍ତି । ସେ ଆଗକୁ ଲକ୍ଷ୍ନୌର ସବୁ ଡାକ୍ତରଖାନାରେ ଏହି ସେବା ଆରମ୍ଭ କରିବାକୁ ଇଚ୍ଛା ରଖିଛନ୍ତି । ପ୍ରତିଦିନ ୨୫୦୦ ଲୋକଙ୍କୁ ଖାଦ୍ୟ ଯୋଗାଇଦେବାକୁ ସେ ଇଚ୍ଛା ପ୍ରକଟ କରିଛନ୍ତି ।

ପ୍ରଥମେ ପ୍ରଥମେ ଟଙ୍କା ଅଭାବରୁ ସେ ବେଳେବେଳେ ଖାଦ୍ୟ ପ୍ରସ୍ତୁତ ପାଇଁ ଚିନ୍ତିତ ଥିଲେ କିନ୍ତୁ ବର୍ତ୍ତମାନ ଲୋକ ସ୍ୱତଃପ୍ରବୃତ୍ତ ଭାବରେ ଜନ୍ମଦିନ , ବିବାହ ଏବଂ ଅନେକ ଉତ୍ସବରେ ଲୋକଙ୍କ ସେବା ପାଇଁ ଏଠାକୁ ଆସି ଖାଦ୍ୟ ବାଣ୍ଟିଥାନ୍ତି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ପୂର୍ବ କ୍ରିକେଟର୍ ବିବିଏସ୍ ଲକ୍ଷ୍ମଣ ମଧ୍ୟ ଟ୍ୱିଟ୍ କରି ବିଶାଳଙ୍କ ଏହି କାମକୁ ପ୍ରଶଂସା କରିଛନ୍ତି ।