କନକ ବ୍ୟୁରୋ : ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସିବିଆଇ ସମନ କରିଛି । ତାଙ୍କୁ ୨୯ ତାରିଖରେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଅଖିଳେଶ ମୁଖ୍ୟମନ୍ତ୍ରୀ ଥିବା ବେଳେ ବେଆଇନ ଖଣି ମାମଲାରେ ୧୫ କୋଟି ଟଙ୍କା କମିଶନ ନେଇଥିବା ଅଭିଯୋଗ ଉପରେ ସିବିଆଇ ପଚରା ଉଚରା କରିବ ।

Advertisment

ସୂଚନା ଥାଉ କି, ଅଖିଳେଶ ଯାଦବ ବାରମ୍ବାର ଅଭିଯୋଗ କରୁଛନ୍ତି କି କେନ୍ଦ୍ର ସରକାର ଜାତୀୟ ଯାଂଚ ଏଜେନ୍ସିର ଅପବ୍ୟବହାର କରୁଛନ୍ତି । ଏହାସହ କେନ୍ଦ୍ରସରକାର ବିଶେଷ ଭାବେ ନିର୍ବାଚନ ପାଖେଇ ଆସିଲେ ବିରୋଧୀଙ୍କ ଉପରେ ଜାତୀୟ ଏଜେନ୍ସିର ଚାପ ପକାଉଛି । ଏପଟେ ଅଖିଳେଶଙ୍କୁ ସବିଆଇ ନୋଟିସ ମିଳିବା ପରେ ଉତ୍ତର ପ୍ରଦେଶ ରାଜନୀତି ସରଗରମ ହୋଇଛି । ସମାଜବାଦୀ ପାର୍ଟିର ନେତାମାନେ ଆକ୍ରାମକ ହୋଇଛନ୍ତି । କିଛି ଗଣମାଧ୍ୟମ ରିପୋର୍ଟ ମୁତାବକ ୨୯ ତାରିଖରେ ଅଖିଳେଶ ଯାଦବ ସିବିଆଇରେ ହାଜର ହେବେ ନାହିଁ ।

୨୦୧୨-୧୩ ମସିହାରେ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ପାଖରେ ଖଣି ବିଭାଗ ରହିଥିଲା । ସେହି ସମୟରେ ବେଆଇନ ଖଣି ଖନନକୁ ନେଇ ତାଙ୍କ ଉପରେ ଅଭିଯୋଗ ଆସିଥିଲା । ୨୦୧୬ରେ ହାଇକୋର୍ଟଙ୍କ ଆଦେଶ ପରେ ମାମଲାର ଯାଂଚ ଆରମ୍ଭ ହୋଇଥିଲା । ଏହି ସମୟରେ ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତୀଙ୍କ ନାମ ଏହି ମାମଲାରେ ଯୋଡି ହୋଇଥିଲା । କେବଳ ଏହି ଦୁଇଜଣ ନୁହେଁ ଅଖିଳେଶଙ୍କ ସରକାର ସମୟରେ ବିଭିନ୍ନ ସମୟରେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ରହିଥିବା ଚନ୍ଦ୍ରକଳାଙ୍କ ନାମରେ ମଧ୍ୟ ସମାନ ଅଭିଯୋଗ ଆସିଥିଲା । ଏହାପରେ ଚନ୍ଦ୍ରକଳାଙ୍କ ବାସଭବନରେ ଚଢାଉ ହୋଇଥିଲା ।