ବ୍ୟାନ୍ ହଟିବା ପରେ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ମାୟାବତୀ ! ପ୍ରଶ୍ନ କଲେ , ଯୋଗୀଙ୍କ ଉପରେ ନିର୍ବାଚନ ଆୟୋଗଙ୍କ ଏତେ ଦରଦ କାହିଁକି ?

123

ଆଦର୍ଶ ଆଚାର ସଂହିତାର ଉଲ୍ଲଘଂନ ମାମଲାରେ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ଉପରେ ନିର୍ବାଚନ ଆୟୋଗ (ଇସି) ପ୍ରଚାର -ପ୍ରସାର କରିବାକୁ ନେଇ ୪୮ ଘଣ୍ଟାର ବ୍ୟାନ୍ ଲଗାଇଥିଲେ । ଇସିଙ୍କ ବ୍ୟାନ୍ ଗୁରୁବାର ସକାଳ ୬ ଟା ବେଳେ ଶେଷ ହୋଇଥିଲା । ବ୍ୟାନ୍ ସମୟ ଶେଷ ହେବା ପରେ ମାୟାବତୀ ଟ୍ୱିଟ୍ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବର୍ଷିଥିଲେ । ସେ ଟ୍ୱିଟରେ କହିଛନ୍ତି ଯୋଗୀ ଆଦିତ୍ୟନାଥ ନିଜ ଅଧିକାରର ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି , କିନ୍ତୁ ଇସି ତାଙ୍କ ପ୍ରତି ଏତେ ଦରଦ କାହିଁକି ଦେଖାଉଛନ୍ତି ?

ସେ ଟ୍ୱିଟ କରି କହିଛନ୍ତି , ନିର୍ବାଚନ ଆୟୋଗର ନିୟମକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି । ସେ ସହର-ସହର ମନ୍ଦିରକୁ ଯାଇ ,ଦଳିତଙ୍କ ଘରେ ଖାଦ୍ୟ ଖାଇବା ଭଳି ଡ୍ରାମା କରୁଛନ୍ତି । ଏହାର ଫଟୋ ମିଡିଆରେ ପ୍ରଚାର ଏବଂ ପ୍ରସାର କରି ସେ ରାଜନୈତିକ ଲାଭ ପାଇବାକୁ ଚାହୁଁଛନ୍ତି । କିନ୍ତୁ ଆଚମ୍ବିତର କଥା ତାଙ୍କ ପ୍ରତି ନିର୍ବାଚନ ଆୟୋଗଙ୍କ ଏତେ ଦରଦ କାହିଁକି ରହିଛି?

ନିଜର ଆଉ ଏକ ଟ୍ୱିଟରେ ସେ ଲେଖିଥିଲେ , ଯଦି ଏହିଭଳି ଭେଦଭାବ ବିଜେପି ନେତାଙ୍କ ପ୍ରତି ନିର୍ବାଚନ ଆୟୋଗଙ୍କ ରହିବ ତେବେ ଚଳିତଥରର ନିର୍ବାଚନ ସ୍ୱତନ୍ତ୍ର ଏବଂ ନିଷ୍ପକ୍ଷ ହେବା ଅସମ୍ଭବ । ଏହି ମାମଲାରେ ଜନତାଙ୍କ ଚିନ୍ତାର କିଭଳି ଭାବେ ସମାଧାନ ହୋଇପାରିବ? ଆପଣଙ୍କୁ କହିରଖୁଛୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ନିର୍ବାଚନ ଆୟୋଗ ୭୨ ଘଣ୍ଟାର ପ୍ରତିବନ୍ଧ ଲଗାଇଥିଲେ । ପ୍ରତିବନ୍ଧ ଲାଗୁ ହେବା ପରେ ଯୋଗୀ ବଜରଙ୍ଗବାଲୀ ଏବଂ ଲଖନଉଁ ,ଅଯୋଧ୍ୟାରେ ଦର୍ଶନ କରିବା ପାଇଁ ବାହାରି ପଡିଥିଲେ । ଗୁରୁବାର ସେ କାଶୀ ପହଂଚିଛନ୍ତି ।