କନକ ବ୍ୟୁରୋ : ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ମାୟାବତୀ କୌଣସି ମେଣ୍ଟରେ ସାମିଲ ନହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହି ଚର୍ଚ୍ଚାର ଏବେ ପରିସମାପ୍ତି ଘଟିଛି । ବୁଧବାର ଦିନ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ମାୟାବତୀ । ସେ କହିଛନ୍ତି କି ଆଗାମୀ ଲୋକସଭା ନିର୍ବାଚନ ଓ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନରେ ସେ କୌଣସି ଦଳ ସହ ମେଣ୍ଟ ନକରି ଏକାକୀ ନିର୍ବାଚନ ଲଢିବେ । ବିରୋଧୀ ମେଣ୍ଟ ଉପରେ ଅଭିଯୋଗ ଆଣି ମାୟାବତୀ କହିଛନ୍ତି କି, କେବଳ କ୍ଷମତା ହାସଲ କରିବାକୁ ବିରୋଧୀ ଦଳମାନେ ମେଣ୍ଟ କରିଛନ୍ତି । ନହେଲେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ । କେବଳ ସେତିକି ନୁହେଁ କଂଗ୍ରେସ ଉପରେ ଅଭିଯୋଗ ଆଣି ମାୟାବତୀ କହିଛନ୍ତି କି କ୍ଷମତାରୁ ବାହାର ହେବା ପରେ କଂଗ୍ରେସର ପଛୁଆ ଓ ଦଳିତଙ୍କ କଥା ମନେ ପଡୁଛି । ଏବେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ଜାତିବାଦ ଦଳ ଓ ପୁଞ୍ଜିବାଦ ଶକ୍ତି ସହ ମେଣ୍ଟ କରିବାକୁ ଆଗ୍ରହ ଦେଖାଉଛି ବୋଲି ମାୟାବତୀ ଅଭିଯୋଗ କରିଛନ୍ତି ।

Advertisment

ଗଣମାଧ୍ୟମକୁ ସମ୍ବୋଧନ କରିବା ଅବସରରେ ମାୟାବତୀ କହିଛନ୍ତି କି, କ୍ଷମତାରେ ଥିବା ଏନଡିଏ ଓ ବିରୋଧୀ ମେଣ୍ଟ ଠାରୁ ବହୁଜନ ସମାଜବାଦୀ ପାର୍ଟି ସମାନ ଦୂରତା ରକ୍ଷା କରି ନିର୍ବାଚନ ଲଢିବ । ମାୟାବତୀ କହିଛନ୍ତି କି, ଲୋକସଭା ନିର୍ବାଚନ ଓ ତା ପୂର୍ବରୁ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନରେ ଦଳ ଆଞ୍ଚଳିକ ଦଳମାନଙ୍କ ସହ ମେଣ୍ଟ କରି ନିର୍ବାଚନ ଲଢିବ ।