କନକ ବ୍ୟୁରୋ : ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ପୀଠ ଅଙ୍ଗନାବାଡି କର୍ମୀଙ୍କୁ ନିର୍ବାଚନ ସମେତ ଅନ୍ୟ କାର୍ଯ୍ୟରେ ନିୟୋଜିତ କରିବା ନେଇ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶର କପି ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଯାଇଛି । ଏହି ଚିଠିକୁ ସଚିବମାନେ ପ୍ରତି ଜିଲ୍ଲା ଅଧିକାରୀଙ୍କୁ ପଠାଇବାକୁ କୋର୍ଟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କି ଅଙ୍ଗନବାଡି କର୍ମୀମାନଙ୍କୁ ସରକାର ନିର୍ବାଚନ କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ ନାହିଁ । ସୂଚନା ଥାଉକି ଉତ୍ତର ପ୍ରଦେଶରେ ୧.୮୯ ଲକ୍ଷ ଅଙ୍ଗନବାଡି କର୍ମୀ କାର୍ଯ୍ୟରତ ଅଛନ୍ତି ।
ଜଷ୍ଟିସ ଆଲୋକ ମାଥୁରଙ୍କ ପୀଠ ମନୀଷା କନୌଜିଆଙ୍କ ଆବେଦନ ଉପରେ ଶୁଣାଣି କରି ଏଭଳି ଆଦେଶ ଦେଇଛନ୍ତି । ସେ ଅଭିଯୋଗ କରିଥିଲେ କି ପ୍ରଶାସନ ତରଫରୁ ତାଙ୍କୁ ସ୍ଥାନୀୟ ନିର୍ବାଚନରେ ବୁଥଲେବଲ ଅଫିସର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଫଳରେ ସେ ଅଙ୍ଗନବାଡିକୁ ଆସୁଥିବା ପିଲାଙ୍କୁ ଠିକରେ ପଢାଇ ନପାରିବା ସହ ଅଞ୍ଚଳର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟ ପ୍ରଭାବିତ ହୋଇଥିଲା ।
ଏହି ଆବେଦନ ଉପରେ ଜିଲ୍ଲାପାଳ ଓ ଅନ୍ୟପକ୍ଷକାର ଜବାବରେ କହିଥିଲେ କି ନିର୍ବାଚନ କାର୍ଯ୍ୟ ହେଉଛି ସବୁଠାରୁ ବଡ ଓ ଦାୟିତ୍ୱପୂର୍ଣ୍ଣ କାମ । ଫଳରେ ସମସ୍ତ ସରକାରୀ କର୍ମଚାରୀ ଏଥିରେ ସହଯୋଗ କରିବା ଆବଶ୍ୟକ । ହେଲେ କୋର୍ଟ କହିଥିଲେ କି ଆବେଦନକାରୀଙ୍କ ଅଭିଯୋଗ ମହତ୍ୱପୂର୍ଣ୍ଣ । ଯଦି ଅଙ୍ଗନବାଡୀ କର୍ମର୍ୀମାନେ ନିର୍ବାଚନ କାର୍ଯ୍ୟରେ ଯାଆନ୍ତି ତେବେ ସ୍ଥାନୀୟ ଅଞ୍ଚଳର ଗର୍ଭବତୀଙ୍କ ସମେତ ଅନ୍ୟ ସ୍ୱାସ୍ଥ୍ୟସେବା ଉପରେ ଗମ୍ଭୀର ପ୍ରଭାବ ପଡିବ ।