ନୂଆ ସେନାମୁଖ୍ୟ ନିଯୁକ୍ତ କରିଛି ପାକିସ୍ତାନ, ଲେଫ୍ଟନାଣ୍ଟ ଅସିମ ମୁନିର ୧୭ ତମ ସେନାମୁଖ୍ୟ ଭାବେ ନିଯୁକ୍ତ

142

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବଂ ଏବେର ପ୍ରଧାନମନ୍ତ୍ରୀ ସେହେବାଜ ସରିଫଙ୍କ ମଧ୍ୟରେ ବିବାଦ ବଢୁଥିବା ବେଳେ ନୂଆ ସେନା ମୁଖ୍ୟ ନିଯୁକ୍ତ କରିଛି ପାକିସ୍ତାନ ।  ଲେପ୍ଟେନାଂଟ ଜେନେରାଲ ଅସିମ ମୁନିରଙ୍କୁ ୧୭ ତମ ଆର୍ମି ମୁଖ୍ୟ ନିଯୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । ମୁନିର ପାକିସ୍ତାନର ଗୁଇନ୍ଦା ବିଭାଗର ମୁଖ୍ୟ ପଦବୀରେ ରହିଥିଲେ । ମୁନିର ୨୦୧୯ରେ ହୋଇଥିବା ପୁଲୱାମା ଆକ୍ରମଣ ନକ୍ସା ପ୍ରସୁତ କରିଥିଲେ । ଯେଉଁ ଆକ୍ରମଣରେ ଭାରତର ୪୦ ଜଣ ସିଆରପିଏଫ୍ ଯବାନ ପ୍ରାଣ ହରାଇଥିଲେ । ତେବେ ଆସନ୍ତା ନଭେମ୍ବର ୨୯ ତାରିଖରେ ବର୍ତମାନର ଆର୍ମି ମୁଖ୍ୟ କ୍ୱାମର ଜାଭେଦ ବାଜୱାଙ୍କ ଅବସର ନେବାର ଅଛି । ତାଙ୍କର ୬ ବର୍ଷର କାର୍ଯ୍ୟକାଳ ପରେ ପାକିସ୍ତାନ ନୂଆ ସେନା ମୁଖ୍ୟ ନିଯୁକ୍ତ କରିଛି ।

ନିକଟରେ ଇମ୍ରାନ ଖାନକୁ ଗୁଳିମାଡ ଘଟଣାରେ ପାକିସ୍ତାନ ସେନାର ହାତ ଥିବା କହିଥିଲେ ଇମ୍ରାନ । ଯାହାକୁ ନେଇ ପାକିସ୍ତାନ ଆର୍ମି ଏବଂ ଇମ୍ରାନଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ମୁନିର ସେନା ମୁଖ୍ୟ ହେବା ପରେ ଇମ୍ରାନଙ୍କ ପାଇଁ ବଡ ସମସ୍ୟା ହେବ ବୋଲି କୁହାଯାଉଛି । ପୂର୍ବରୁ ୩ ବର୍ଷ ବଢାଇଯାଇଥିବା ବାଜୱାଙ୍କ କାର୍ଯ୍ୟକାଳ ଆଉ ତିନି ମାସ ବୃଦ୍ଧି କରିବାକୁ ଦାବି ଉଠିଥିଲା । କିନ୍ତୁ ଇମ୍ରାନଙ୍କ ସହ ବିବାଦ ଯୋଗୁ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଥିବା କୁହାଯାଉଛି । ସବୁଠୁ ବଡ କଥା ହେଉଛି ପାକିସ୍ତାନରେ ଏବେ ସୁଦ୍ଧା ମୋଟ ୩୦ ଜଣ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ମାତ୍ର ୧୭ ଜଣଙ୍କୁ ଆର୍ମି ମୁଖ୍ୟ ନିଯୁକ୍ତ କରାଯାଇଛି । ଯାହା ସ୍ପଷ୍ଟ କରୁଛି ପାକିସ୍ତାନ ସରକାରଙ୍କ ଉପରେ ସର୍ବଦା ସେନାର ଚାପ ରହୁଛି ।