କନକ ବ୍ୟୁରୋ : ଦେଶର ବିଭିନ୍ନ ସ୍ଥାନରେ ୯୬୧ ଟଙ୍କା ଭଳି ଚଢ଼ା ଦାମ୍ରେ ବିକ୍ରି ହେଉଥିବା ୧୪.୨ କେଜି ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ଦାମ୍ ଆସନ୍ତା ସପ୍ତାହରେ ଆହୁରି ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି । ଏବେ ପ୍ରତି ସିଲିଣ୍ଡର ପିଛା କଂପାନି ପ୍ରାୟ ୧୦୦ ଟଙ୍କାର କ୍ଷତିି ସହୁଛନ୍ତି । ସେଥିରୁ କିଛି ଅଂଶ ଗ୍ରାହକଙ୍କ ମୁଣ୍ଡରେ ଲଦିବାକୁ ସେମାନେ ଉଦ୍ୟମ କରିବେ ବୋଲି ଅନୁମାନ କରାଯାଉଛି । ପ୍ରତି ମାସର ପ୍ରଥମ ସପ୍ତାହରେ ଏଲ୍ପିଜି ଦାମ୍ ସଂଶୋଧନ ହେଉଛି । ଶେଷ ଥର ଲାଗି ଅକ୍ଟୋବର ୬ରେ ଏଲ୍ପିଜି ଦାମ୍ ୧୫ ଟଙ୍କା ବଢ଼ିଥିଲା। ଚଳିତ ବର୍ଷ ଜୁଲାଇ ପରଠାରୁ ଏଲ୍ପିଜି ସିଲିଣ୍ଡର ୯୦ ଟଙ୍କା ମହଙ୍ଗା ହୋଇସାରିଲାଣି ।
ଏବେ ସବ୍ସିଡି ଓ ଅଣ-ସବ୍ସିଡି ସିଲିଣ୍ଡର ଦାମ୍ରେ ବିଶେଷ ଫରକ ନାହିଁ। ଅତି ନଗଣ୍ୟ ପରିମାଣର ସବ୍ସିଡି ଦିଆଯାଉଥିବାରୁ ଗ୍ରାହକମାନେ ବଜାର ଦରରେ ଏଲ୍ପିଜି କିଣୁଛନ୍ତି ବୋଲି କହିଲେ ଭୁଲ ହେବ ନାହିଁ। ଏଲ୍ପିଜି ଦାମ୍ରେ ନିୟମିତ ବୃଦ୍ଧି କରାଯିବାରୁ ଏହା ଉପରେ ଦିଆଯାଉଥିବା ସବ୍ସିଡି ଗତବର୍ଷ ଠାରୁ ବନ୍ଦ ହୋଇଯାଇଛି। ଆନ୍ତର୍ଜାତିକ ବଜାରରୁ ଭାରତ କିଣୁଥିବା ସାଉଦି ଏଲ୍ପିଜି ମୂଲ୍ୟ ଇତିମଧ୍ୟରେ ୬୦ ପ୍ରତିଶତ ବୃଦ୍ଧି ପାଇ ଟନ୍ ପିଛା ୮୦୦ ଡଲାରରେ ପହଞ୍ଚିଛି । କିଣା ମୂଲ୍ୟ ବଢ଼ିଥିବାରୁ ବିକ୍ରି କରିବା ବେଳେ ଗ୍ୟାସ୍ କଂପାନିଗୁଡ଼ିକ କ୍ଷତି ସହୁଛନ୍ତି । ଏଲ୍ପିଜି ଦର ନିର୍ଧାରଣ ପ୍ରକ୍ରିୟା ଏବେବି ସରକାରଙ୍କ ନିୟନ୍ତ୍ରଣରେ ରହିଛି ।
କିନ୍ତୁ ସରକାର ସେଥିରେ ହସ୍ତକ୍ଷେପ କରୁନାହାନ୍ତି । ଯଦି ଦାମ୍ କମ୍ ରଖିବାକୁ କଂପାନିଗୁଡ଼ିକୁ ସରକର କହିବେ, ତେବେ ସେମାନେ ସହୁଥିବା କ୍ଷତିକୁ ଭରଣା କରିବା ଲାଗି ସବ୍ସିଡି ଦେବାକୁ ପଡ଼ିବ। ଅନ୍ୟଥା ଅଧିକ ଦାମ୍ରେ ଏଲ୍ପିଜି କିଣୁଥିବା ଗ୍ରାହକଙ୍କ ବ୍ୟାଙ୍କ ଖାତାରେ ପୂର୍ବଭଳି ସବ୍ସିଡି ରାଶି ଜମା କରିବାକୁ ପଡ଼ିବ । ବ୍ୟୟ ଭାର ମୁଣ୍ଡାଇବାର ଭୟ ଥିବାରୁ ସରକାର ଏବିଷୟରେ ବିଶେଷ ଚିନ୍ତା କରୁନାହାନ୍ତି । ତେଣୁ ନିଜ କ୍ଷତି ଭରଣା କରିବା ଲାଗି କଂପାନିଗୁଡ଼ିକ ଏଲ୍ପିଜି ଦାମ୍ ବଢ଼ାଉଛନ୍ତି ।
ଅନ୍ୟପକ୍ଷରେ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୮୫.୪୨ ଡଲାର ରହିଥିବାରୁ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ପ୍ରାୟ ନିୟମିତ ବଢ଼ୁଛି । ଗତ ଦୁଇ ଦିନ ଦର ଅପରିବର୍ତ୍ତିତ ରହିବା ପରେ ଆଜି ପୁଣି ବଢ଼ିଛି। ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟରେ ୩୫ ପଇସାର ବୃଦ୍ଧି ଘଟିଛି । ସେପ୍ଟେମ୍ବର ମାସ ୨୪ ତାରିଖ ପରେ ପେଟ୍ରୋଲ୍ ମୂଲ୍ୟରେ ୨୨ ଥର ବୃଦ୍ଧି ହୋଇଥିବାରୁ ଏହାର ଦାମ୍ ୬ ଟଙ୍କା ୭୫ ପଇସା ବଢ଼ିଛି । ସେହିପରି ଡିଜେଲ୍ ମୂଲ୍ୟ ୨୪ ଥର ବଢ଼ିବା କାରଣରୁ ଦାମ୍ ୮ ଟଙ୍କା ୫ ପଇସା ବଢ଼ିଛି। ମଧ୍ୟପ୍ରଦେଶରେ ପେଟ୍ରୋଲ୍ ଦାମ୍ ୧୨୦ ଟଙ୍କା ଟପିଥିବା ବେଳେ ଡିଜେଲ୍ ୧୧୦ ଟଙ୍କାରେ ବିକ୍ରି ହେଉଛି ।