କନକ ବ୍ୟୁରୋ : ସାଧାରଣ ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ । ଆଜି ରନ୍ଧନ ଗ୍ୟାସ ଦର ବୃଦ୍ଧି କରିଛନ୍ତି ପେଟ୍ରୋଲିୟମ କମ୍ପାନି । ସିଲିଣ୍ଡର ପିଛା ଦର ୧୫ ଟଙ୍କା ବୃଦ୍ଧି କରିବା ଫଳରେ ଭୁବନେଶ୍ୱରରେ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୯୨୬ ଟଙ୍କାରେ ପହଂଚିଛି । ସମ୍ପ୍ରତି ଦିଲ୍ଲୀରେ ଟ. ୮୮୪.୫୦ ଥିବା ୧୪.୨ କି.ଗ୍ରା. ଓଜନବିଶିଷ୍ଟ ଅଣରିହାତି ‘ଏଲ୍ପିଜି’ ସିଲିଣ୍ଡର୍ର ମୂଲ୍ୟ ଟ. ୮୯୯.୫୦ ହୋଇଥିବା ବେଳେ ନୂତନ ମୂଲ୍ୟ ଅନୁଯାୟୀ ୫ କି.ଗ୍ରା. ଓଜନର ସିଲିଣ୍ଡର୍ ଦର ଏବେ ଟ. ୫୦୨ । କିଛି ମାସ ହେଲାଣି ଏଲ୍ପିଜି ଦାମ୍ ନିୟମିତ ବଢ଼ୁଥିବାରୁ ଖୁବ୍ଶୀଘ୍ର ଏହି ଦର ୧୦୦୦ ଟଙ୍କା ହୋଇଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଖୋର୍ଦ୍ଧା ଜିଲ୍ଲାରେ ୧୯ କେଜି ଏଲ୍ପିଜି ସିଲିଣ୍ଡର ଦାମ୍ ୧୮୩୦ ଟଙ୍କା, ୫ କେଜି ସିଲିଣ୍ଡର ଦାମ୍ ୩୪୧ ଟଙ୍କା ୫୦ ପଇସା ଓ ୪୭.୫ କେଜି ସିଲିଣ୍ଡର ଦାମ୍ ୪୫୭୨ ଟଙ୍କା ୫୦ ପଇସା ରହିଛି । ଆଜିର ଦରବୃଦ୍ଧି ପୂର୍ବରୁ ଖୋର୍ଦ୍ଧାରେ ୧୪.୨ କେଜି ଏଲ୍ପିଜି ସିଲିଣ୍ଡର ଦାମ୍ ୯୧୧ ଟଙ୍କା ଥିଲା ।
ଆନ୍ତର୍ଜାତିକ ବଜାରରେ ତୈଳ ଦାମ୍ ବୃଦ୍ଧି ପାଉଥିବାରୁ ଦେଶରେ ଏଲ୍ପିଜି ମୂଲ୍ୟ ବଢ଼ୁଛି। ଅଶୋଧିତ ତୈଳ ଦାମ ୮୦ ଡଲାରରୁ ଅଧିକ ରହିଛି। ସେଥିପାଇଁ ଉଭୟ ସବ୍ସିଡି ଓ ଅଣ-ସବ୍ସିଡି ଏଲ୍ପିଜି ଦାମ୍ ବଢ଼ୁଛି। ଗ୍ରାହକଙ୍କୁ ମିଳୁଥିବା ସବ୍ସିଡି ନଗଣ୍ୟ ସ୍ତରକୁ ହ୍ରାସ ପାଇଥିବାରୁ ତାହା ଗୁରୁତ୍ବହୀନ ହୋଇପଡ଼ିଛି । ଏବେ ଲୋକମାନଙ୍କୁ ବଜାର ଦରରେ ଗ୍ୟାସ୍ କିଣିବାକୁ ପଡ଼ୁଛି ବୋଲି କହିଲେ ଭୁଲ ହେବନାହିଁ। ସବ୍ସିଡି ବାବଦରେ କିଛି ଗ୍ରାହକଙ୍କ ଖାତାରେ ୧୩-୩୦ ଟଙ୍କା ଭଳି କମ୍ ରାଶି ଜମା ହେଉଛି । ଏହା ପୂର୍ବରୁ ସେପ୍ଟେମ୍ବର ୧ରେ ଏଲ୍ପିଜି ଦାମ୍ ୨୫ ଟଙ୍କା ବଢ଼ିଥିଲା। ୨୦୨୧ରେ ମୋଟ୍ ଉପରେ ଏଲ୍ପିଜି ୨୦୫ ଟଙ୍କା ୫୦ ପଇସା ମହଙ୍ଗା ହୋଇଛି ।
ଏଲ୍ପିଜି ଦାମ୍ରେ ହେଉଥିବା ବାରମ୍ବାର ବୃଦ୍ଧିକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ସୋସିଆଲ ମିଡିଆରେ ସକ୍ରିୟ ଥିବା ନାଗରିକମାନେ ଏହି ଦରବୃଦ୍ଧିକୁ କଡ଼ା ସମାଲୋଚନା କରିଛନ୍ତି। ଏହା ଗରିବ ଲୋକମାନଙ୍କ ଜୀବନକୁ ଆହୁରି କଷ୍ଟକର କରିବ ବୋଲି ସେମାନେ କହିଛନ୍ତି। ଟ୍ବିଟର୍ରେ ଲୋକମାନେ ମଜାଦାର ମିମ୍ସ ମଧ୍ୟ ସେୟାର କରିଛନ୍ତି। କିଛି ନାଗରିକ ଏହାକୁ ମୋଦୀ ସରକାରଙ୍କ ଦୀପାବଳି ଉପହାର କହି ତାତ୍ସଲ୍ୟ କରିବାକୁ ଭୁଲି ନାହାନ୍ତି । ଗୋଟିଏ ପଟେ ଏଲ୍ପିଜି ଦାମ୍ ବଢ଼ୁଥିବା ବେଳେ କିଛି ଦିନ ହେଲାଣି ପେଟ୍ରୋଲ୍ ଓ ଡିଜେଲ୍ର ଯେଉଁ ଦରବୃଦ୍ଧି ଧାରା ଆରମ୍ଭ ହୋଇଥିଲା ଆଜି ମଧ୍ୟ ତାହା ଜାରି ରହିଛି । ପେଟ୍ରୋଲ୍ ଦାମ୍ ୩୦ ପଇସା ବଢ଼ିଥିବା ବେଳେ ଡିଜେଲ୍ ୩୫ ପଇସା ମହଙ୍କା ହୋଇଛି । ବୁଧବାରର ଦରବୃଦ୍ଧି ପରେ ଭୁବନେଶ୍ବରରେ ପେଟ୍ରୋଲ୍ ଦାମ୍ ୧୦୩ ଟଙ୍କା ୮୨ ପଇସା ଓ ଡିଜେଲ୍ ଦାମ୍ ୯୯ ଟଙ୍କା ୭୦ ପଇସାକୁ ବୃଦ୍ଧି ପାଇଛି ବୋଲି ଜଣାପଡ଼ିଛି ।
- କୋଲକାତା ଏଲପିଜି ସିଲିଣ୍ଡରର ମୂଲ୍ୟ ୯୧୧ ରୁ ୯୨୬ ଟଙ୍କାକୁ ବୃଦ୍ଧି ପାଇଛି
- ମୁମ୍ବାଇ ୮୪୪.୫୦ ରୁ ୮୯୯.୫୦ ଟଙ୍କାକୁ ଗଲା
- ଚେନ୍ନାଇ ୯୦୦.୫୦ ରୁ ୯୧୫.୫୦ ଟଙ୍କାକୁ ବୃଦ୍ଧି ପାଇଛି