ପେଟ୍ରୋଲ, ଡିଜେଲ କଷ୍ଟକୁ ବଳିଗଲା ଏଲପିଜି । ମାସକରେ ତିନି ଥର ଦର ବଢ଼ିବା ପରେ ସାରାଦେଶରେ ଜୋରଦାର ପ୍ରତିବାଦ ।

143

କନକ ବ୍ୟୁରୋ: ପେଟ୍ରୋଲ,ଡିଜେଲ ଦର ବୃଦ୍ଧି କଷ୍ଟଠାରୁ ବଳି ଯାଇଛି ଏଲପିଜି ଦର ବୃଦ୍ଧି । ଦେଶର ପ୍ରାୟ ଅଧିକାଂଶ ପରିବାର ଏବେ ରୋଷେଇ ପାଇଁ ଏଲପିଜି ଉପରେ ନିର୍ଭର କରୁଥିବାବେଳେ ମନଇଛା ଦର ବୃଦ୍ଧି କରି ଚାଲିଛନ୍ତି ତୈଳ କମ୍ପାନୀ । ମାସକରେ ତିନି ଥର ବଢ଼ିଲାଣି ଗ୍ୟାସ ସିଲିଣ୍ଡର ଦର । ଗୁରୁବାର ୧୪.୨ କେଜିର ଏଲପିଜି ସିଲିଣ୍ଡର ପିଛା ୨୫ ଟଙ୍କା ବଢ଼ିବା ଫଳରେ ଭୁବନେଶ୍ୱରରେ ଦର ୮୨୦ ଟଙ୍କା ୫୦ ପଇସା ହୋଇଛି । ଗତ ୨ ମାସରେ ରୋଷେଇ ଗ୍ୟାସ ଦର ୨ଶହ ଟଙ୍କା ମହଙ୍ଗା ହେଲାଣି । ନଜର ପକାନ୍ତୁ ଚଳିତ ମାସରେ କେତେ ବଢ଼ିଲାଣି ଦର..

  • ଫେବ୍ରୁଆରୀ ୪ ତାରିଖରେ ୨୫ ଟଙ୍କା
  • ଫେବ୍ରୁଆରୀ ୧୪ ତାରିଖରେ ୫୦ ଟଙ୍କା
  • ଫେବ୍ରୁଆରୀ ୨୫ ତାରିଖରେ ୨୫ ଟଙ୍କା

ଦେଶରେ ଏବେ ୯୯ ପ୍ରତିଶତ ପରିବାର ପାଖରେ ଏଲପିଜି ସଂଯୋଗ ରହିଥିବା ଦାବି କରୁଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ସାରା ବିଶ୍ୱ ଭାରତକୁ ପ୍ରଶଂସା ମଧ୍ୟ କରୁଥିବା କହି ବାଃ ବାଃ ନେଉଛନ୍ତି କେନ୍ଦ୍ର ସରକାର । ହେଲେ, ଏଲପିଜିର ଏଭଳି ଦର ବୃଦ୍ଧି ସାଧାରଣ ପରିବାରର ହାଣିଶାଳ ଉପରେ ସିଧାସଳଖ ପ୍ରଭାବିତ କରିଛି । ଯାହାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଭାରତୀୟ ପରିବାର । ସେଥିପାଇଁ ନିଆରା ଢ଼ଙ୍ଗରେ ଏଭଳି ପ୍ରତିବାଦ କରିଛନ୍ତି ।

ଜିଏସଟି ସରଳିକରଣ ଦାବି ସହ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଏବଂ ୱେ-ବିଲକୁ ବିରୋଧ କରି ୨୪ ଘଂଟିଆ ବନ୍ଦ ପାଳନ କରୁଛନ୍ତି ବ୍ୟବସାୟୀ ସଂଘ । ବ୍ୟବସାୟୀ ସଂଘର ବନ୍ଦକୁ ସମର୍ଥନ କରି ମୁମ୍ବାଇରେ ଶିବସେନାର କାର୍ଯ୍ୟକର୍ତା ଏକ ସ୍କୁଟିରେ ନିଆଁ ଲଗାଇ ପ୍ରତିବାଦ କରିଛନ୍ତି । ଇନ୍ଧନ ଦର ବୃଦ୍ଧିକୁ ବିରୋଧ କରି ଦିଲ୍ଲୀରେ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛି ବିରୋଧୀ କଂଗ୍ରେସ । ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଥାଳି ବଜାଇ କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିବା ସହ ଦର ବୃଦ୍ଧିକୁ ରୋକିବା ପାଇଁ ଦାବି କରିଛନ୍ତି ।

ସେହିପରି କଂଗ୍ରେସ ସାଂସଦ ଶଶୀ ଥରୁର ଅଟୋ ଥିରୁଅନନ୍ତପୁରମରେ ଅଟୋ ଚାଳକଙ୍କ ବନ୍ଦ ପାଳନକୁ ସମର୍ଥନ କରି ଏକ ରଶି ସହାୟତାରେ ଅଟୋକୁ ଟାଣି ପ୍ରତିବାଦ ଜଣାଇଛନ୍ତି । ପେଟ୍ରୋଲ ଓ ଡିଜେଲ ଉପରେ ଏତେ ମାତ୍ରରେ ଟିକସ ସାଧାରଣ ଲୋକଙ୍କୁ ଭୀଷଣ ଭାବେ ପ୍ରଭାବିତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ଦେଶବ୍ୟାପୀ ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ପ୍ରତିବାଦ ଜୋରଦାର ହେଉଥିବାବେଳେ ପ୍ରତିକ୍ରିୟା ରଖି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଶୀତ କମିଲେ ତେଲ ଦର କମିବ।