କନକ ବ୍ୟୁରୋ : ଆଜିଠୁ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା ରିହାତି ମିଳିବ । ଉଜ୍ଜ୍ବଳା ହିତାଧିକାରୀଙ୍କୁ ପୂର୍ବରୁ ୨୦୦ ଟଙ୍କା ରିହାତି ମିଳୁଥିବାବେଳେ ଏବେ ଆଉ ୨୦୦ ଟଙ୍କା ସବସିଡି ମିଳିବ । ଅର୍ଥାତ ଉଜ୍ଜ୍ବଳା ଯୋଜନା ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା ୪୦୦ ଟଙ୍କା ସବସିଡି ମିଳିବ । ଏହି ଯୋଜନାରୁ ଦେଶର ୧୦କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Advertisment

କେବଳ ଓଡିଶାରୁ ୫୩ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ । ରାଜଧାନୀ ଭୁବନେଶ୍ୱରରେ ସିଲିଣ୍ଡର ପିଛା ଘରୋଇ ଏଲପିଜି ଦର ୯୨୯ ଟଙ୍କାକୁ ହ୍ରାସ ପାଇଛି । ପୂର୍ବରୁ ଘରୋଇ ଏଲପିଜି ଦର ଥିଲା ୧୧୨୯ ଟଙ୍କା । ଆଗକୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ଓ ଆସନ୍ତାବର୍ଷ ଲୋକସଭା ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ଏଲପିଜି ଉପରେ ସବସିଡି ଦେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଉଜ୍ଜ୍ବଳା ସ୍କିମ୍‌ରେ ନୂଆ ସଂଯୋଗ ସମ୍ପୂର୍ଣ୍ଣ ମାଗଣା‌ରେ ପ୍ରଦାନ କରାଯିବ। ଅତିରିକ୍ତ ଏଲ୍‌ପିଜି ସବ୍‌ସିଡି ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ସରକାରଙ୍କୁ ୭୬୮୦ କୋଟି ଟଙ୍କାର ଆର୍ଥିକ ବୋଝ ମୁଣ୍ଡାଇବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଆଉ ୭୫ ଲକ୍ଷ ନୂଆ ଏଲ୍‌ପିଜି ସଂଯୋଗ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନ ଭାର ଗ୍ରହଣ କରିବା ବେଳେ ୧୪.୨ କେଜିଆ ଏଲ୍‌ପିଜି ସିଲିଣ୍ଡର ଦାମ୍ ୪୧୦ ଟଙ୍କା ଥିଲା ।

ଏନ୍‌ଡିଏ ସରକାରଙ୍କ ଅମଳ‌ରେ ସେହି ଦାମ୍ ପର୍ଯ୍ୟାୟକ୍ରମେ ପାଖାପାଖି ତିନି ଗୁଣା ବୃଦ୍ଧି ପାଇଛି । ଏଲ୍‌ପିଜି ଉପରେ ପୂର୍ବରୁ ଦିଆଯାଉଥିବା ସବ୍‌ସିଡିକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଗ୍ରାହକଙ୍କ ଖାତାରେ ଏବେ ନାମକୁ ମାତ୍ର ୧୩ରୁ ୧୪ ଟଙ୍କାର ସବ୍‌ସିଡି ରାଶି ଜମା ହେଉଛି ଯାହା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ତୁଳନାରେ ନଗଣ୍ୟ । ଏବେ ପ୍ରତି ମାସର ପ୍ରଥମ ଦିନରେ ତୈଳ କଂପାନିଗୁଡ଼ିକ ଏଲ୍‌ପିଜି ମୂଲ୍ୟ ସଂଶୋଧନ କରୁଛନ୍ତି ।