ଏଲପିଜି ଗ୍ରାହକଙ୍କ ପାଇଁ ବଡ଼ ଖବର । ୧୨୨ ଟଙ୍କା କମିଲା ୧୯ କିଲୋ ବିଶିଷ୍ଟ କମର୍ସିଆଲ୍ ସିଲିଣ୍ଡରର ଦର ।

487

କନକ ବ୍ୟୁରୋ : ଏଲପିଜି ଗ୍ରାହକଙ୍କ ପାଇଁ ବଡ଼ ଖବର । ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର । ଏଲପିଜି ଗ୍ରାହକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଆଇଓସି ପକ୍ଷରୁ ୧୯ କିଲୋଗ୍ରାମ୍ ବିଶିଷ୍ଟ କର୍ମର୍ସିଆଲ୍ ସିଲିଣ୍ଡରର ଦରରେ ହ୍ରାସ କରାଯାଇଛି । ପୂର୍ବରୁ ମେ ମାସରେ ମଧ୍ୟ ଏହି ସିଲିଣ୍ଡରର ଦର କମ୍ କରାଯାଇଥିଲା । ଅନ୍ୟପଟେ ୧୪.୨ କିଲୋଗ୍ରାମ୍ ବିଶିଷ୍ଟ ଘରୋଇ ଗ୍ୟାସ ଦରରେ କିନ୍ତୁ କୌଣସି ପରିବର୍ତନ କରାଯାଇନାହିଁ ।

ଶସ୍ତା ହେଲା ୧୯ କିଲୋ ବାଲା ଗ୍ୟାସ୍ ସିଲିଣ୍ଡର । ଆଇଓସିର ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ୧୯ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡରର ଦର ଜୁନ୍ ୧ ତାରିଖ ଠାରୁ ୧୪୭୩.୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ଏହା ପୂର୍ବରୁ ଏହି ସିଲିଣ୍ଡରର ଦର ୧୫୯୫.୫୦ ଟଙ୍କା ରହିଥିଲା । ଅର୍ଥାତ ସିଲିଣ୍ଡରର ଦରରେ ୧୨୨ ଟଙ୍କା ହ୍ରାସ କରାଯାଇଛି । ତେବେ ସରକାରୀ ପେଟ୍ରୋଲିୟମ୍ କମ୍ପାନୀ ଗୁଡିକ ଗତ ମେ ମାସରେ ୧୯ କିଲୋ ବିଶିଷ୍ଟ କମର୍ସିଆଲ୍ ସିଲିଣ୍ଡରର ଦରରେ ୪୫.୫୦ ଟଙ୍କା କମ୍ କରିଥିଲେ । ସେତେବେଳେ ଏହାର ଦର ୧୬୪୧ ଟଙ୍କାରୁ କମି ୧୫୯୫.୫୦ ଟଙ୍କା ହୋଇଥିଲା ।
୧୨୨ ଟଙ୍କା କମିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡରର ଦର । ଏବେ ନଜର ପକାନ୍ତୁ କେଉଁ ସହରରେ ଏହି ଗ୍ୟାସ ସିଲିଣ୍ଡରର ଦର କେତେ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଦିଲ୍ଲୀରେ ଗତ ମେ ମାସରେ ୧୯ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡରର ଦର ୧୫୯୫.୫୦ ଟଙ୍କା ଥିବା ବେଳେ ଏବେ ଏହାର ଦର ୧୪୭୩.୫୦ ଟଙ୍କା ଧାର୍ଯ୍ୟ କରଯାଇଛି । ସେହିପରି ମୁମ୍ବାଇରେ ଏହାର ଦର ପୂର୍ବରୁ ୧୫୪୫ ଟଙ୍କା ଥିବା ବେଳେ ଏବେ ଏହାର ଦର ରହିଛି ୧୪୨୨.୫୦ ଟଙ୍କା । କୋଲକାତାରେ ୧୬୬୭.୫୦ ଟଙ୍କାରୁ ଦର ହ୍ରାସ କରାଯାଇ ୧୫୪୪.୫୦ ଟଙ୍କା କରାଯାଇଛି । ସେହିପରି ଚେନ୍ନାଇରେ ପୂର୍ବରୁ ୧୭୨୫.୫୦ଟଙ୍କା ଥିବା ବେଲେ ଏବେ ଏହି ସିଲିଣ୍ଡରର ଦର ୧୬୦୩ ଟଙ୍କା କରାଯାଇଛି ।

ଅନ୍ୟପଟେ କିନ୍ତୁ ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତନ କରାଯାଇନାହିଁ । ଦିଲ୍ଲୀରେ ଆଜି ମଧ୍ୟ ଘରୋଇ ଏଲପିଜି ସିଲିଣ୍ଡରର ଦର ୮୦୯ ଟଙ୍କା ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୨୧ରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ୧୧୫ ଟଙ୍କା ମହଙ୍ଗା ହୋଇସାରିଲାଣି । ଦିଲ୍ଲୀରେ ଗତ ଜାନୁଆରୀ ମାସରେ ଏଲପିଜି ସିଲିଣ୍ଡରର ଦର ୬୯୪ ଟଙ୍କା ରହିଥିଲା । ଫେବୃଆରୀରେ ଏହାକୁ ବଢାଇ ୭୧୯ ଟଙ୍କା କରାଯାଇଥିଲା । ସେହିପରି ଫେବୃଆରୀ ୧୫ ତାରିଖରେ ଏଥିରେ ପୁଣି ଦର ବଢାଇ ୭୬୯ ଟଙ୍କା କରାଯାଇଥିଲା । ଏବଂ ମାର୍ଚ୍ଚରେ ୮୧୯ ଟଙ୍କାକୁ ବଢାଇଦିଆଯାଇଥିଲା । ଦିନକୁ ଦିନ ଘରୋଇ ସିଲିଣ୍ଡରର ଦର ବଢୁଥିବାବେଳେ ସାଧାରଣ ଗ୍ରାହକଙ୍କ ଚିନ୍ତା ବି ବଢୁଛି ।