କନକ ବ୍ୟୁରୋ : ପେଟ୍ରୋଲ, ଡିଜେଲ  ଓ ଏଲପିଜି ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି ।  ଏହା ବିରୋଧରେ ରାଜରାସ୍ତାକୁ ଓହ୍ଳାଇଛି ବିଜେଡି । ଭୁବନେଶ୍ୱର ଲୋକସେବା ଭବନ ପଛ ଗେଟ୍ ପେଟ୍ରୋଲ ପମ୍ପ ନିକଟରୁ ବିଜେଡି ମହିଳା ମୋର୍ଚ୍ଚାର ଏକ ବିଶାଳ ଶୋଭାଯାତ୍ରା ବାହାରିଛି । ଦଳର ତୁଙ୍ଗ ନେତାଙ୍କ ସହ ହଜାର ହଜାର କର୍ମୀ ଶୋଭାଯାତ୍ରାରେ ଯାଇ ଏଡିଏମ୍ ଅଫିସ ଆଗରେ ଗଣଧାରଣା ଦେବେ ।

Advertisment

ଗତକାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲାବେଳେ ଆଜିଠାରୁ ନିର୍ବାଚନମଣ୍ଡଳୀ ସ୍ତରରେ  ପ୍ରତିବାଦ କରୁଛି ବିଜେଡି ।  ଆଜି ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ବିଜେଡି ପକ୍ଷରୁ ପ୍ରତିବାଦ କରିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ । ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ଗ୍ୟାସ ଟାଙ୍କି ରଖି ଚୁଲିଜାଲି ପ୍ରତିବାଦ କରାଯାଇଥିଲା । ସାଇକେଲ ଶୋଭାଯାତ୍ରା କରି ବିଜୁ ଯୁବ ଓ ମହିଳା ବିଜେଡି କର୍ମୀ ଦଳୀୟ କାର୍ଯ୍ୟାଳୟରୁ ରାଜଭବନ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହା ପରେ ଏକ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଥିଲେ  । ଦର ବୃଦ୍ଧି ପାଇଁ କେନ୍ଦ୍ରରେ ବିଜେପି ସରକାରଙ୍କୁ ଦାୟୀ କରଛିି ବିଜୁ ଜନତା ଦଳ ।

ମୁଖ୍ୟତଃ ତୈଳ ଦର ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ହେଉଥିବାରୁ ବିଜେଡି ପକ୍ଷରୁ ଅଭିନବ ଢଙ୍ଗରେ ଏହାର ପ୍ରତିବାଦ କରାଯାଇଥିଲା । ଶତାଧିକ ବିଜେଡି କର୍ମୀ ଶଗଡ଼, ସାଇକେଲ୍, ଘୋଡ଼ା, ରିକ୍ସା‌ ଓ ଗ୍ୟାସ୍‌ ସିଲିଣ୍ଡର ଧରି କେଶରୀ ହଲ୍‌ ନିକଟରୁ ଶୋଭାଯାତ୍ରାରେ ବାହାରି ରାଜଭବନ ସମ୍ମୁଖକୁ ଆସିଥିଲେ । ରାସ୍ତା ଉପରେ କାଠ ଚୁଲି ଜାଳି ପ୍ରତିବାଦ କରିଥିଲେ । ତେଲ, ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ଯୋଗୁଁ କିପରି ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି ତାହା ବିଜେଡି କର୍ମୀମାନେ ରାଜରାସ୍ତାରେ ଦେଖାଇଥିଲେ ।