ବଢିଲା ରୋଷେଇ ଗ୍ୟାସ ସିଲିଣ୍ଡର ଦର । ସୋମବାରଠୁ ଲାଗୁ ହେଲା ନୂଆ ଦର । ଦର ବୃଦ୍ଧି ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ।

124

କନକ ବ୍ୟୁରୋ: ଦେଶରେ ଏବେ ମହଙ୍ଗା ଦର ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ତେଲ ଦର ଲଗାତାର ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ରାଜଧାନୀ ଦିଲ୍ଲୀରେ ବଢିଛି ରୋଷେଇ ଗ୍ୟାସ ସିଲିଣ୍ଡର ଦର । ୧୪.୨ କେଜି ଓଜନ ସିଲିଣ୍ଡରର ଦାମ ୫୦ଟଙ୍କା ବୃଦ୍ଧି ପାଇଛି । ଏହାସହ ରୋଷେଇ ଗ୍ୟାସ ସିଲିଣ୍ଡର ପାଇଁ ଖାଉଟିଙ୍କୁ ୭୬୯ଟଙ୍କା ଗଣିବାକୁ ପଡିବ । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ଦର ବୃଦ୍ଧିକୁ ନେଇ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ଚାଷୀଙ୍କ ପ୍ରତି ବର୍ବରତା ଦେଖାଉଥିବା ସରକାର ଏବେ ଦେଶର ପ୍ରତିଟି ଚୁଲିକୁ ଟାର୍ଗେଟ କରିବା ସହ ଗୃହିଣୀଙ୍କ ଅଂଟା ଭାଙ୍ଗିବା ପାଇଁ ପ୍ରସ୍ତୁତି ଚଳାଇଥିବା କହିଛି କଂଗ୍ରେସ ।

ଏହା ପୂର୍ବରୁ ଦିଲ୍ଲୀରେ ଅଣ ସବସିଡି ଗ୍ୟାସ ସିଲିଣ୍ଡରର ଦର ୬୯୪ରୁ ବୃଦ୍ଧି କରାଯାଇ ୭୧୯ଟଙ୍କା କରାଯାଇଥିଲା । ଏହା ବ୍ୟତୀତ ଦିଲ୍ଲୀରେ ଡିସେମ୍ବର ୨୦୨୦ରେ ଅଣ ସବସିଡି ଗ୍ୟାସ ସିଲିଣ୍ଡରର ଦର ୫୦ଟଙ୍କା ବୃଦ୍ଧି କରାଯାଇଥିଲା । ଏବେ ପୁଣି ୫୦ଟଙ୍କା ବଢିବା ଖାଉଟିଙ୍କ ଚିନ୍ତାକୁ ବଢାଇ ଦେଇଛି । ଗତ ୧୦ଦିନ ଭିତରେ ରୋଷେଇ ଗ୍ୟାସ ସିଲିଣ୍ଡର ଦରରେ ୭୫ଟଙ୍କା ବୃଦ୍ଧି ପାଇଥିବା କହିଛି କଂଗ୍ରେସ । ଏହାସହ ରବିବାର ଦିନ ପ୍ରିମିୟମ ପେଟ୍ରୋଲ ଦର ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଶହେ ଟପିଛି । ଏହା ପୂର୍ବରୁ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତୈଳ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲେ । ଜନତାଙ୍କ ଠାରୁ ଲୁଟ୍ ଏବଂ କେବଳ ୨ଜଣଙ୍କର ବିକାଶ କରୁଥିବା ଲେଖିଥିଲେ ରାହୁଲ ଗାନ୍ଧୀ । ଏହାକୁ ନେଇ ବିଜେପି ଓଲଟା ରାହୁଲଙ୍କ ଉପରେ ବର୍ଷିଛି ।

ପ୍ରତିମାସ ପହିଲାରେ ଏଲପିଜି ଦାମରେ ପରିବର୍ତନ କରାଯାଏ । ଏଥର ଫେବ୍ରୁଆରୀ ୧ ତାରିଖରୁ କେବଳ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମରେ ୧୯୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏହାପରେ ଦିଲ୍ଲୀରେ ୧୯କିଲୋ ବିଶିଷ୍ଟ ସିଲିଣ୍ଡରର ଦର ୧୫୩୩ଟଙ୍କା, କୋଲକାତାରେ ୧୫୯୮ ଟଙ୍କା ୫୦ପଇସା, ମୁମ୍ବାଇରେ ୧୪୮୨ ଟଙ୍କା ୫୦ପଇସା ଓ ଚେନ୍ନାଇରେ ୧୬୪୯ଟଙ୍କା ହୋଇଛି । କିନ୍ତୁ ଘରୋଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତନ କରାଯାଇନଥିଲା । ଏବେ କିନ୍ତୁ ଦିଲ୍ଲୀରେ ଗ୍ୟାସ ଦର ୫୦ଟଙ୍କା ବୃଦ୍ଧି କରାଯାଇଛି ।