ଲୋୟର ସୁକତେଲ ବିସ୍ଥାପିତ ପରିବାରର କୁନି ପୁଅକୁ ମିଳୁନି ପାଠ। ଆରଆର କଲୋନୀ ନିକଟ ବିଦ୍ୟାଳୟରେ ହୋଇପାରୁନି ନାମଲେଖା

287

କନକ ବ୍ୟୁରୋ : ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଭିଟାମାଟି ଛାଡି ଆରଆର କଲୋନୀରେ ଥଇଥାନ ହୋଇଛନ୍ତି ବିସ୍ଥାପିତ ପରିବାର । ବିସ୍ଥାପିତ ପରିବାରର କୁନି ପୁଅ ଶିକ୍ଷାରୁ ବଂଚିତ ହୋଇଛି । ସ୍କୁଲରେ ନାମ ଲେଖାଇ ପାରୁନଥିବାରୁ ଦ୍ୱିତୀୟ ଶ୍ରେଣୀ ଅଧାରୁ ପାଠପଢାରେ ବନ୍ଧା ହୋଇଛି ଡୋରୀ । ପାଠ ଛାଡି ବୁଲୁଛି ବିସ୍ଥାପିତ କଲୋନୀରେ ରହୁଥିବା ସ୍ୱସ୍ତିତ ବୁଡେକ । ସ୍ୱସ୍ତିକ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ବେଳେ ନିଜ ଗାଁ ଓ ସୁକତେଲ ସ୍କୁଲ ଛାଡିଛନ୍ତି । ସେ ରହୁଥିବା କଲୋନୀ ନିକଟରେ ଥିବା ବିଭିନ୍ନ ସ୍କୁଲରେ ଅଧିକ ପିଲା ଥିବାରୁ ତାଙ୍କ ନାମ ଲେଖା ହୋଇପାରୁନାହିଁ ।

୨୦୨୩ ଅଗଷ୍ଟ ମାସରେ ଛାତ୍ରଛାତ୍ରୀଙ୍କୁ ଲୋୟର ସୁକତେଲ ସ୍କୁଲରୁ ଟିସି ଦିଆଯାଇଥିଲା । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୫ ହଜାର ଟଙ୍କା ସହାୟତା ଦିଆଯାଇଥିଲା । କିନ୍ତୁ ପ୍ରାଥମିକ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ଫଳରେ ସ୍ୱସ୍ତିକ ଭଳି ଛୋଟ ଛୋଟ ଛାତ୍ରଛାତ୍ରୀ ପାଠ ଠାରୁ ଦୂରେଇ ଯାଇଛନ୍ତି । ଏହାକୁ ଲୋକମାନେ ନାପସନ୍ଦ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ସ୍ୱସ୍ତିକ ବୁଡେକର ତଥ୍ୟ ମିଳିଲେ ତାଙ୍କର ନାମ ଲେଖାଯିବ ।

ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ଶୁଣିବା ପରେ ଅନେକ ପ୍ରଶ୍ନ ଉଠିଛି । ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ତଥ୍ୟ ଶିକ୍ଷା ବିଭାଗ ପାଖରେ ନାହିଁ କେମିତି? ବିସ୍ଥାପିତ କରିବା ପରେ ସ୍କୁଲ ପିଲାଙ୍କ ଖବର ରଖିଲେ ନାହିଁ କାହିଁକି? ଏତେସବୁ ପରେ କୁନି କୁନି ପିଲା ପ୍ରତିଦିନ ଅନ୍ୟତ୍ର ଯା’ଆସ କରିବାରେ ଅସୁବିଧା ହେଉଛି, ତେଣୁ ପ୍ରାଥମିକ ଶିକ୍ଷା ପାଇଁ ଆରଆର କଲୋନୀରେ ଏକ ଅସ୍ଥାୟୀ ସ୍କୁଲ କରିବାକୁ ଦାବି ହୋଇଛି ।