କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳରେ ବିଭି୍ନ୍ନ ଯୋଜନାର ଉ୍ନ୍ନତି ହୋଇଥିଲେ ମଧ୍ୟ ସମାଧାନ ହୋଇପାରୁନି ବିଜୁଳି ସମସ୍ୟା । ଅସହ୍ୟ ତାତି ଉପରେ ଲଗାତର ବିଜୁଳି କାଟ ବୋଝ ଉପରେ ନଳିିତା ବିଡ଼ା ପରି ହୋଇଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳର ପ୍ରାୟ ୯ ଟି ପଂଚାୟତରେ ଏହି ବିଜୁଳି ସମସ୍ୟା ଯୋଗୁଁ ଲୋକେ ଅସନ୍ତୋଷ ହେଉଛନ୍ତି ।
ତତଲା କଢ଼େଇରେ ସିଜୁଛି ଓଡ଼ିଶା । ଆଉ ଏତିକି ବେଳେ ବାରମ୍ବାର ବିଜୁଳି କାଟ୍ ବୋଝ ଉପରେ ନଳିତା ବିଡା ହୋଇଛି । ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳର ୯ ଟି ପଞ୍ଚାୟତରେ ଦୀର୍ଘ ସମୟ ଧରି ବିଜୁଳି ଗାଏବ ହୋଇଯାଉଛି । ଆଉ ଯେତେବେଳେ ରହୁଛି, ତାହା ପୁଣି ଲୋ-ଭୋଲଟେଜ । ଖରା ପ୍ରବଳକୁ ବିଜୁଳିର ଲୁଚକାଳି ଖେଳ ଲୋକଙ୍କୁ ଅତିଷ୍ଠ କରିଦେଇଛି । ପିଲାଙ୍କ ପାଠପଢ଼ାରୁ ଆରମ୍ଭ କରି ଦୈନଦିନ ଜୀବନକୁ ପ୍ରଭାବିତ କରୁଛି ଅଘୋଷିତ ବିଜୁଳି କାଟ ।
କାମରେ ଆସୁନି ପାୱାର ଗ୍ରୀଡ଼ । ଥ୍ରୀ-ଫେଜ୍ କରେଣ୍ଟ ନଥିବାରୁ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି । ଲୋ-ଭୋଲଟେଜ୍ ଯୋଗୁଁ ପାନୀୟ ଜଳ ଠାରୁ ଉଠା ଜଳସେଚନ ପ୍ରକଳ୍ପ ଠପ୍ ହୋଇଯାଇଛି । ବାରମ୍ବାର ବିଜୁଳି କାଟ ଯୋଗୁଁ କିଛି ବ୍ୟବସାୟୀ ମଧ୍ୟ ପ୍ରଭାବିତ ହେଉଛନ୍ତି । କମ୍ପ୍ୟୁଟର ମାଧ୍ୟମରେ କାମ, ଜେରକ୍ସ , ୱେଲ୍ଟିଂ ଭଳି ଦୋକାନ ବନ୍ଦ ରଖୁଛନ୍ତି ଦୋକାନୀ ।
ନିକଟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସ୍ୱାଭିମାନ ଅଂଚଳକୁ ଗସ୍ତ କରି ଅଂଚଳର ବିଜୁଳି ସମସ୍ୟା ବାବଦରେ ଜାଣିଥିଲେ । ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି କହିଥିଲେ । ତେବେ ଏବେ ଅପେକ୍ଷା କେବେ ସତ ହେବ ସଚିବଙ୍କ କଥା କେବେ ଦୂର ହେବ ସ୍ୱାଭିମାନ ଅଂଚଳର ବିଜୁଳି ସମସ୍ୟା ।