କନକ ବ୍ୟୁରୋ: ବୈଶାଖ, ଜ୍ୟେଷ୍ଠ ଯାଇ ଆଷାଢ଼ ଅଧା ହେଲାଣି । କିନ୍ତୁ ଚାଷ କାର୍ଯ୍ୟ ଆଗେଇ ପାରୁନି । ଜୁନ୍ ମାସ ଆରମ୍ଭରୁ ଏପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ନିଅଂଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଆଗେଇ ପାରୁନଥିବା କୁହାଯାଉଛି । ଚାଷ ଆରମ୍ଭ ସମୟରେ ନିଅଂଟିଆ ବର୍ଷା ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ତେବେ ଏବେଠୁ ମରୁଡି ଆଶଙ୍କା କରିବା ଠିକ୍ ନୁହେଁ, ବୋଲି କହିଛନ୍ତି କୃଷି ମନ୍ତ୍ରୀ ।

Advertisment

ପ୍ରାୟ ଦୁଇ ସପ୍ତାହ ହେବ ରାଜ୍ୟକୁ ମୌସୁମୀ ଛୁଇଁଲାଣି । ହେଲେ, ରାଜ୍ୟର ଅଧିକାଂଶ ଜିଲ୍ଲାରେ ନିଅଁଂଟିଆ ବର୍ଷା ଓ ଟାଣ ଖରା ଯୋଗୁଁ ଚାଷ ଜମି ଫାଟିବାକୁ ବସିଲାଣି । ଟାଣ ଖରା ଯୋଗୁଁ ଜଳି ଯିବାକୁ ବସିଲାଣି ଧାନ ତଳି । ଏହାକୁ ଦେଖି ଚାଷୀ ମୁଣ୍ଡରେ ହାତ ଦେଇଛି । ବିଶେଷକରି ସମବାୟ ବ୍ୟାଙ୍କରୁ ରୁଣ ଆଣି ଚାଷ କରିଥିବା ଚାଷୀ ଚିନ୍ତାରେ ପଡିଛି ।

କେବଳ ସୁନ୍ଦରଗଡ ନୁହେଁ, ନିଅଂଟିଆ ବର୍ଷା ହୋଇଥିବା ବଲାଙ୍ଗୀର, ପୁରୀ, ମୟୁରଭଞ୍ଜ ଜିଲ୍ଳା ସମେତ ଅଧିକାଂଶ ଜିଲ୍ଲାରେ ସ୍ଥିତି ସମାନ । ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରୁନଥିବାବେଳେ ଏମିତି ବର୍ଷା ନହେଲେ ଆଗକୁ ମରୁଡି ହେବାର ଆଶଙ୍କା କରିଛନ୍ତି ।

ଚାଷୀ ଚିନ୍ତାରେ ଥିବାବେଳେ ଆଶ୍ୱାସନା ଦେଇଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଜୁନରେ ନିଅଣ୍ଟିଆ ବର୍ଷା ହୋଇଛି, ହେଲେ ବର୍ତମାନ ଠାରୁ ମରୁଡି ଆଶଙ୍କା କରିବା ଠିକ୍ ନୁହେଁ । କେନ୍ଦ୍ର ପାଣିପାଗ ବିଭାଗ ଆକଳନ କରିଛି ଜୁଲାଇ ଓ ସେପ୍ଟେମ୍ବ୍ରରେ ଭଲ ବର୍ଷା ହେବ । ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ବର୍ଷାକୁ ଅପେକ୍ଷା କରିବା । ସେ ସମୟରେ ନଅଁଣ୍ଟିଆ ବର୍ଷା ଭରଣା ହୋଇଯିବ । ତେବେ କାଲିଠୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବାକୁ ଥିବାବେଳେ, ସବୁ ଜିଲ୍ଳାରେ ସ୍ୱାଭାବିକ ଭାବେ ବର୍ଷା ହେଉଛି କି ନାହିଁ ତା ଉପରେ ନିର୍ଭର କରୁଛି ଚାଷ କାର୍ଯ୍ୟ ।