୨୦୫୦ ସୁଦ୍ଧା ଶୁଖିଯିବ ମହାନଦୀ ! ଓଡ଼ିଶାର ଲାଇଫଲାଇନକୁ ନେଇ ଜଳସମ୍ପଦ ସଚିବ ଦେଲେ ସାଂଘାତିକ ତଥ୍ୟ

31

କନକ ବ୍ୟୁରୋ : ମହାନଦୀକୁ ମାଡି ଆସୁଛି ବିପଦ । ଆଉ ୩୦ରୁ ୩୨ ବର୍ଷ ଭିତରେ କମି ଯିବ ଜଳପ୍ରବାହ, ଶୁଖିଯିବ ନଦୀ । ଓଡିଶାର ଜୀବନ ରେଖା କୁହାଯାଉଥିବା ମହାନଦୀରେ ଗତ ୧୦ ବର୍ଷ ହେଲା ଜଳପ୍ରବାହ କମିଥିବା ସୂଚନା ଦେଇଛନ୍ତି ରାଜ୍ୟ ଜଳସମ୍ପଦ ସଚିବ ।

ମହାନଦୀ ଶୁଖିଯିବ । ଯେଉଁଭଳି ଭାବେ ଜଳବାୟୁ ପରିବର୍ତ୍ତନ ହେଉଛି ତାହାକୁ ଦୃଷ୍ଟିରେ ରଖିଲେ ଭୁବନେଶ୍ୱର ଓ କଟକରେ ମଧ୍ୟ ଟ୍ୟାପ୍ ଡ୍ରାଏ ପରିସ୍ଥିତି ସୃଷ୍ଟି  ହୋଇପାରେ । ବିଶ୍ୱ ଜଳଦିବସରେ ଏଭଳି ସାଂଘାତିକ ଆଶଙ୍କା କରିଛନ୍ତି ଓଡ଼ିଶା ସରକାରଙ୍କ ଜଳସମ୍ପଦ ସଚିବ ପ୍ରଦୀପ ଜେନା । ଗତ ୧୦ ବର୍ଷ ମଧ୍ୟରେ ମହାନଦୀରେ ଜଳପ୍ରବାହ ଆଶାତୀତ ହ୍ରାସ ପାଇଛି । ଏହି କାରଣରୁ ଜଳସ୍ତର ବି କମିଛି ମହାନଦୀ ଅବବାହିକାରେ ।

ମହାନଦୀ ଶୁଖିବାର କାରଣ ବିଷୟରେ ନିର୍ଦ୍ଦିଷ୍ଟ ଭାବେ କହିବାକୁ ଯାଇ ବୃଷ୍ଟିପାତ ହ୍ରାସ, ଜଙ୍ଗଲକ୍ଷୟ, ନଦୀର ଉପରମୁଣ୍ଡରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣ ପରି ବିଭିନ୍ନ କାରଣକୁ ଦାୟୀ କରିଛନ୍ତି । ନଦୀର ମଧ୍ୟ ଜୀବନ ଅଛି କିନ୍ତୁ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଲାଗୁଛି ଖୁବ କମ ଦିନ ମଧ୍ୟରେ କେପଟାଉନ ଭଳି ଅବସ୍ଥା ସୃଷ୍ଟି ହେବ ।

MAHANADI WATERକେବଳ ଓଡ଼ିଶା ନୁହେଁ ସାରା ବିଶ୍ୱରେ ଜଳାଭାବ ଏକ ସାଂଘାତିକ ରୂପ ନେବାକୁ ଯାଉଛି । ବିଶ୍ୱର ୨୦୦ଟି ସହରରେ ଜଳକଷ୍ଟ ଦେଖାଦେବା ଓ ବେଙ୍ଗାଲୁରୁ ତାଲିକାରେ ରହିବା ସ୍ଥିତିକୁ ଜଟିଳ କରିଛି । ଜଳକଷ୍ଟ ଭୋଗୁଥିବା ସହରଗୁଡ଼ିକ ମଧ୍ୟରେ କେପ୍ ଟାଉନ୍, ବେଜିଂ, ମେକ୍ସିକୋ, ସାନ୍ ପାଉଲୋ, ନାଇରୋବି, ଇସ୍ତାନବୁଲ୍, କାବୁଲ, ବୁଏନ୍ସ ଏରିସ ଓ କରାଚୀ ରହିଛି । ୧୪ ଏପ୍ରିଲ୍ ୨୦୧୮ ପରେ କେପ୍ ଟାଉନରେ ସରକାର ଜଳଯୋଗାଣ ବନ୍ଦ କରିବେ । ୭ ବର୍ଷ ପୂର୍ବରୁ କେପଟାଉନରେ ଟ୍ୟାପ୍ ଡ୍ରାଏ ପରିସ୍ଥିତି ସୃଷ୍ଟି ହୋଇଛି ।