କନକ ବ୍ୟୁରୋ: ଶ୍ରାବଣରେ ବି ଶୁଖିଲା ପଡିଛି ଜମି । ବର୍ଷା ଅଭାବରୁ ଟାଙ୍ଗରା ଭୂଇଁରେ ମାଟି ଫାଟି ଆଁ କରିଛି । ଧାନ କିଆରି କାଦୁଅ ପଚପଚ ହେବା ପରିବର୍ତ୍ତେ ଶୁଖି ଯାଇ ପଥର ପାଲଟିଛି । ବର୍ଷା ବିହୁନେ କେଉଁଠି ତଳି ମରିଗଲାଣି ତ ଆଉ କେଉଁଠି ଶୁଖି ହଳଦିଆ ପଡିଗଲାଣି । ଆକାଶରେ ବର୍ଷା ନାହିଁ କି କେନାଲରେ ବି ପାଣି ନାହିଁ । ଧାନ ରୁଆ ସମୟ ହୋଇଥିବାରୁ ଅନେକ ଜାଗାରେ ବି ଏଯାଏଁ ଗଜା ଉଠିନି । ଯେଉଁଥି ପାଇଁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।

Advertisment

publive-image

ମୌସୁମୀର ଲୁଚକାଳି ଭିତରେ ଚାଷୀ ମୁଣ୍ଡରେ ଚଡକ ପଡିଲାଣି । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡିଶା ସବୁଠି ସ୍ଥିତି ସଙ୍ଗୀନ । ସ୍ୱଳ୍ପ ବୃଷ୍ଟି ଯୋଗୁଁ ଉପୁଜିଛି ମରୁଡି ସ୍ଥିତି । ବିଲରେ ପାଣି ଅଭାବରୁ ଶହ ଶହ ହେକ୍ଟର ଚାଷ ଜମି ଶୁଖିଲା ପଡିଛି । କିଛି ସ୍ଥାନରେ ଧାନ ବିଲରେ ଗାଇ ଗୋରୁ ଚରୁଛନ୍ତି । କହିବାକୁ ଗଲେ ୫ ଜିଲ୍ଲାରେ ଏକ ପ୍ରକାର ମରୁଡି ସ୍ଥିତି ଉପୁଜିଛି ।

ସେପଟେ ଗୃହରେ ଉଠିଛି ରାଜ୍ୟରେ ଗଜା ମରୁଡି ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ କହିଛି, ସ୍ପଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟର ୫ଟି ଜିଲ୍ଲାରେ ୪୦ ପ୍ରତିଶତକୁ କମ୍ ବର୍ଷା ହୋଇଛି । ଏସବୁ ଜିଲ୍ଲାକୁ ମରୁଡି ପ୍ରବଣ ଜିଲ୍ଲା ଘୋଷଣା କରାଯାଉ । ମରୁଡି ସମସ୍ୟା ପାଇଁ ମନ୍ତ୍ରୀ ଉତ୍ତର ରଖନ୍ତୁ ଏବଂ ସ୍ଥିତି ଅନୁଧ୍ୟାନ ପାଇଁ ଗୃହ କମିଟି ଗଠନ କରନ୍ତୁ । କଂଗ୍ରେସର ଦାବି ପରେ ରାଜ୍ୟରେ ସ୍ୱଳ୍ପ ବୃଷ୍ଟି ଓ ମରୁଡି ପରିସ୍ଥିତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀଙ୍କୁ ୨ ଦିନ ଭିତରେ ଗୃହରେ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।