କନକ ବ୍ୟୁରୋ: ରୋଗୀଟିଏ ସରକାରୀ ଡାକ୍ତରଖାନାକୁ ଗଲେ ନିରାମୟରୁ ଔଷଧ ପାଇଁ ଆଶା ରଖିଥାଏ। ଡାକ୍ତର ଦେଖାଇବା ପରେ ଧାଡିରେ ଠିଆ ହୋଇ ଔଷଧ ନିଏ। ହେଲେ ନିରାମୟରେ ମିଳୁଛି ନିମ୍ନମାନର ଔଷଧ ।

Advertisment
  • ନିରାମୟରେ ନିମ୍ନମାନର ଔଷଧ !
  • ରୋଗୀଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳୁଛି କିଏ?

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରରେ ନିରାମୟ ଔଷଧ ବିତରଣ କେନ୍ଦ୍ରରୁ ଯେଉଁ ଔଷଧ ମିଳୁଛି, ସେଥିରେ ରୋଗ ଭଲ ହେବା ନେଇ ସନ୍ଦେହ ସୃଷ୍ଟି ହେଉଛି । କାହିଁକି ନା, ଜଣେ ମହିଳାଙ୍କୁ ମିଳିଥିବା ଭିଟାମିନ-ବି ମେଡ଼ିସିନରେ ଲେଖାଥିବା ଏକସ୍ପାରି ଡେଟ୍ ବୈଧ ରହିଛି, କିନ୍ତୁ ମେଡ଼ିସିନ୍ ଭିତରେ ମିଳେଇଯାଇଛି। ଦୁଇ ଦୁଇଥର ପରିବର୍ତ୍ତନ କରିବା ପରେ ମଧ୍ୟ ତାଙ୍କୁ ମିଳିଥିବା ମେଡ଼ିସିନ୍ ଦୁଇଥର ଯାକ ମିଳାଇ ଯାଇଥିବା ଅଭିଯୋଗ କରିଛନ୍ତି ମହିଳା । ଯାହା ରୋଗୀଙ୍କୁ ମିଳୁଥିବା ନିରାମୟ ଔଷଧର ମାନକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନେକ କମ୍ପାନୀ ସହ ଏମଓୟୁ କରି ତତ୍କାଳୀନ ବିଜେଡି ସରକାର ନିରାମୟରେ ଔଷଧ ଯୋଗାଇ ଦେଉଛନ୍ତି । ଅନେକ ଅନାମଧେୟ କମ୍ପାନୀ ସହ ବୁଝାମଣା ଯୋଗୁଁ ନିମ୍ନ ମାନର ଔଷଧ ମିଳୁଥିବା ବୁଦ୍ଧିଜୀବୀ କହିଛନ୍ତି । ପ୍ରଶ୍ନ ଉଠୁଛି ଏଭଳି ନଷ୍ଟ ଔଷଧ ରୋଗୀଙ୍କୁ କାହିଁକି ଦିଆଯାଉଛି ? ଔଷଧକୁ ଯାଞ୍ଚ ନକରି କାହିଁକି ନିରାମୟ କେନ୍ଦ୍ରରେ ବଣ୍ଟନ କରାଯାଉଛି? ଔଷଧ ନାଁରେ କାହିଁକି ରୋଗୀଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳାଯାଉଛି ?

ଭାତ ହାଣ୍ଡିରୁ ଗୋଟିଏ ଚିପିଲେ ଜଣା ପଡ଼ିବା ଭଳି ରାଜ୍ୟରେ ଅନ୍ୟ ସ୍ଥାନରେ ମିଳୁଥିବା ନିରାମୟ ଔଷଧର ବିଶ୍ୱସନୀୟତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ।