କନକ ବ୍ୟୁରୋ : ଗର୍ଭବତୀ ମହିଳା ଓ ଶିଶୁଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ । ଉନ୍ନତ ମାନର ଖାଦ୍ୟ ଯୋଗାଇବାକୁ ଏସଏଚଜିଙ୍କୁ ଦିଆଯାଇଛି ଦାୟିତ୍ୱ । ହେଲେ ସେଥିରେ ବି ହେରଫେର ହେଉଥିବା ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଥିବା ୨୯ ପଂଚାୟତରେ ଗର୍ଭବତୀ ମହିଳା ଓ ଶିଶୂଙ୍କୁ ଉନ୍ନତ ମାନର ଶୁଖିଲାଖାଦ୍ୟ ଯୋଗାଇବାକୁ ଦୁଇଟି ସ୍ୱୟଂ ସହାୟିକା ଗୋଷ୍ଠିକୁ ଦାୟିତ୍ୱ ଦିଆଯାଇଛି । ହେଲେ ଏଥିରେ ବି ଖୁଲମଖୁଲା ହେରଫେର କରାଯାଉଛି । ଅଧୁଆ ଗହମରେ ଅପମିଶ୍ରଣ କରି ଛତୁଆ ପ୍ରସ୍ତୁତ କରାଯାଉଥିବା ଚିତ୍ର ସାମ୍ନାକୁ ଆସିଛି । ଭିତରପଟୁ ବାଟ ବନ୍ଦ କରି କର୍ମଚାରୀଙ୍କ ଅନୁପସ୍ଥିତିରେ ଖୁଲମଖୁଲା ଛତୁଆରେ ଅପମିଶ୍ରଣ କରାଯାଉଥିବା ଚିତ୍ର ସାମନାକୁ ଆସିଛି । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିିଳିଥିଲା ।

Advertisment

କେବଳ ଯେ ଛତୁଆ ନୁହେଁ ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟରେ ପୋକ ସାଲୁବାଲୁ । ବାରମ୍ବାର ଅଭିଯୋଗ ପରେ ବି ସୁଧାରିବାର ନାହିଁ । ଏହି ଖାଦ୍ୟ ଖାଇ ପିଲା ଅସୁସ୍ଥ ହୋଇପଡୁଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ ମାନେ ।

ସେପଟେ  ଖାଦ୍ୟ ଯୋଗାଣ କାରୀ ସଂସ୍ଥା ଏହି ଖାଦ୍ୟ ବିତରଣ କରି ମାଲାମାଲ ହେଉଥିବାବେଳେ ନିମ୍ନମାନର ଖାଦ୍ୟକୁ ବାହାରେ ଫୋପାଡି ଦିଆଯାଉଛି । ଘଟଣାର ବହୁବାର ପ୍ରତିବାଦ କରାଯାଉଛି । ଏବେ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାର ମିଳିଛି ପ୍ରତିଶ୍ରୁତି ।

ମହିଳା ଓ ଶିଶୁଙ୍କ ପାଇଁ ସରକାର କରୁଥିବା ସୁବିଧାକୁ ଅସାଧୁ ଲୋକେ ଅପବ୍ୟବହାର କରି ଫାଇଦା ଉଠାଉଛନ୍ତି । ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସ୍ଥିତି ସୁଧାରିବା ଜରୁରୀ ହୋଇଛି ।