କନକ ବ୍ୟୁରୋ: ବର୍ଷା ଆସୁ ଆସୁ ସ୍ଥିତି ବେହାଲ । ଜଗତସିଂହପୁର ଜିଲ୍ଲାର ମାଛ ଗାଁ କେନାଲରେ ୨ଟି ଘାଇ ସୃଷ୍ଟି ହେବା ଯୋଗୁଁ ପ୍ରଭାବିତ ହୋଇଛି ଜୀବନ ଯାତ୍ରା । ଗୋଟିଏ ଦଳେଇ ଖାଇ ନିକଟରେ ହୋଇଥବା ବେଳେ ଆଉ ଗୋଟିଏ ଘାଇ ତରିକୁନ୍ଦ ନିକଟରେ ସୃଷ୍ଟି ହୋଇଛି । କେନ୍ଦୁଝରରେ କୁମୁଳବାହାଳି ତେଲ ନଦୀ ପୋଲ ଉପରେ ୪ ଫୁଟ ଉଚ୍ଚରେ ଚାଲୁଛି ବନ୍ୟାପାଣି । ସେପଟେ କଟକରେ ଜୀବନ ନେଇଛି ମୁକୁଳା ଡ୍ରେନ୍ । ବର୍ଷାଋତୁ ଆରମ୍ଭରୁ କଟକ ସହରରେ ମୁକୁଳା ଡ୍ରେନରେ ପଡି ଜଣେ ଯୁବକଙ୍କ ଜୀବନ ଯାଇଛି ।

Advertisment

କିଛି ଘଂଟାର ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ରାସ୍ତାରେ ପାଣି, ଘରେ ପାଣି । ବିଲ କେଉଁଠି ଓ ନାଳ କେଉଁଠି ଜାଣିବା ମୁସ୍କିଲ ହୋଇପଡ଼ିଛି । ଜଗତସିଂହପୁର ଜିଲ୍ଲାର ମାଛ ଗାଁ କେନାଲରେ ୨ଟି ଘାଇ ସୃଷ୍ଟି ହେବା ଯୋଗୁଁ ପ୍ରଭାବିତ ହୋଇଛି ଜୀବନ ଯାତ୍ରା । ଗୋଟିଏ ଦଳେଇ ଖାଇ ନିକଟରେ ହୋଇଥବା ବେଳେ ଆଉ ଗୋଟିଏ ଘାଇ ତରିକୁନ୍ଦ ନିକଟରେ ସୃଷ୍ଟି ହୋଇଛି । ଫଳରେ ହନୁମନ୍ତପୁର ଗାଁରେ ଜଳବନ୍ଦୀ ଅବସ୍ଥାରେ ସୃଷ୍ଟି ହୋଇଛି । ସେହିପରି ତରିକୁନ୍ଦ ଘାଇ ଯୋଗୁଁ ଜଗତସିଂହପୁର-କଟକ ରାସ୍ତା ଉପରେ ପାଣି ଚାଲୁଛି ।

ଏପଟେ କେନ୍ଦୁଝର କୁମୁଳବାହାଳି ତେଲ ନଦୀ ପୋଲ ଉପରେ ୪ ଫୁଟ ଉଚ୍ଚରେ ଚାଲୁଛି ବନ୍ୟାପାଣି । ଘୋଳକୁଣ୍ଡ ପୋଲରେ ବି ସମାନ ଅବସ୍ଥା । ବନ୍ୟା ପାଣି ଯୋଗୁଁ ଠପ୍ ହୋଇଯାଇଛି ଯାତାୟତ । ତେଲ ନଦୀ ପାଶ୍ୱର୍ରେ ଥିବା ବେଲସରେଇ ଓ ଘୋଳକୁଣ୍ଡ ଗାଁ ପାଲଟିଯାଇଛି ଜଳବନ୍ଦୀ । କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଳାକୁ ଯୋଗାଯୋଗ ମଧ୍ୟ ବିଚ୍ଚିନ୍ନ ହୋଇଛି । ଏସବୁ ଭିତରେ ପୁରୀ ଜିଲ୍ଳା କୋଣାର୍କ ଓ ପିପିଲିରେ ବର୍ଷାର ଭିନ୍ନ ଏକ ପ୍ରଭାବ ଦେଖିବାକୁ ମିଳିଛି । କାମ ସରିବାର ମାସଟିଏ ବି ପୁରିନି ହେଲେ ବନ୍ଧ ଫାଟି ଆଁ କଲାଣି । ଲଗାଣ ବର୍ଷା ଯୋଗୁ ନିମାପଡା ବଳଙ୍ଗା ଦକ୍ଷିଣ ପଟୁ ରୋଡର ୭ଶହ ମିଟର ନଦୀ ବନ୍ଧ ଫାଟି ଆଁ କରିଛି ।

କଟକରେ ବର୍ଷା ଆରମ୍ଭରୁ ଅଘଟଣ । ଜୀବନ ନେଇଛି ମୁକୁଳା ଡ୍ରେନ୍ । ବର୍ଷାଋତୁ ଆରମ୍ଭରୁ କଟକ ସହରରେ ମୁକୁଳା ଡ୍ରେନରେ ପଡି ଜଣେ ଯୁବକଙ୍କ ଜୀବନ ଯାଇଛି । ମୃତକ ଜଣକ ହେଉଛନ୍ତି କଟକ ଝୋଲାସାହି ଅଂଚଳର ରାହୁଲ । କାମ ସାରି ଘରକୁ ଫେରୁଥିବା ବେଳେ ବାଟରେ ଡ୍ରେନରେ ମୃତ୍ୟୁ ହୋଇଛି । ଆଉ ରାଜଧାନୀ ଭୁବନେଶ୍ୱରର ଅବସ୍ଥା ନକହିଲେ ଭଲ । ଅସରାଏ ବର୍ଷାରେ ବେହାଲ୍ ହୋଇଯାଉଛି ରାଜଧାନୀର ଅବସ୍ଥା । ଏସବୁ ଭିତରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ତେଣୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।