କନକ ବ୍ୟୁରୋ : ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଆଗାମି ୧୨ଘଂଟାରେ ଏହା ଅବପାତର ରୂପ ନେବ । ୨୪ ଘଂଟାରେ ବାତ୍ୟାରେ ପରିଣତ ହେବ । ଏବଂ ସମୁଦ୍ର ଭିତରେ ବଳ ଗୋଟାଇ ଆଗକୁ ବଢ଼ିବ । ୪ତାରିଖ ସକାଳୁ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଗତି କରିବ । କିନ୍ତୁ କେଉଁଠି ସ୍ଥଳଭାଗ ଏଯାଏ ସ୍ପଷ୍ଟ ହୋଇନି । ଶେଷ ମୂହୁର୍ତରେ ମଧ୍ୟ ବାତ୍ୟା ଜୱାଦ ଗତିପଥ ପରିବର୍ତନ କରିପାରେ ବୋଲି ଅନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ହେଲେ ଓଡିଶା ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ଅଧିକ ସମ୍ଭାବନା ରହିଛି ।
ତେବେ ୪ ତାରିଖ ସକାଳେ ଏହି ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ଅଧିକ ରହିଛି। ପ୍ରଭାବରେ ଆସନ୍ତା ୩ ତାରିଖଠାରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ । ୪ ତାରିଖରେ ବର୍ଷା ଓ ପବନର ପରିମାଣ ବଢ଼ିବ । ବାତ୍ୟା ୪ ତାରିଖରେ ଉପକୂଳ ପାଖାପାଖି ହେଲେ ବି ସ୍ଥଳଭାଗ ନ ଛୁଇଁ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବାର ମଧ୍ୟ ସମ୍ଭାବନା ରହିଛି । ଏହା ପ୍ରଭାବରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବର୍ଷା ଲାଗି ରହିବ । ଆସନ୍ତା ୪ ତାରିଖ ସକାଳ ୮ଟାରୁ ୫ ତାରିଖ ସକାଳ ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତ୍ସିଂହପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।
ଏହି ସମୟ ମଧ୍ୟରେ ଖୋର୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ପରବର୍ତୀ ୨୪ ଘଣ୍ଟା ଅର୍ଥାତ୍ ୫ ତାରିଖ ସକାଳଠାରୁ ୬ ତାରିଖ ସକାଳ ପର୍ଯ୍ୟନ୍ତ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ । ତାହାକୁ ନଜରରେ ରଖି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ଅବପାତ ରୂପ ନେବା ବେଳେ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ଝଡ଼ ପବନ ହେବାର ସମ୍ଭାବନା ରହିଛି ।
୩ ତାରିଖ ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୫ରୁ ୭୫ କିମି ରହିପାରେ। ୪ ତାରିଖ ସକାଳଠାରୁ ପରବର୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓ ତତ୍ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ବହିବ। ତେବେ ୩ ତାରିଖ ମଧ୍ୟରାତିରୁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ସର୍ବାଧିକ ୬୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ବୃଦ୍ଧି ପାଇ ୪ ତାରିଖ ଅପରାହ୍ନରୁ ପବନର ବେଗ ୭୦ରୁ ୮୦ ଏବଂ ସର୍ବାଧିକ ୯୦ କିମି ରହିବ। ସମ୍ଭାବ୍ୟ ବାତ୍ୟାର ତୀବ୍ରତା ‘ଗୁଲାବ’ଠାରୁ ଅଧିକ ଏବଂ ‘ଫନି’ଠାରୁ କମ୍ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି।