କରୋନା ଭିତରେ ବାତ୍ୟାର ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ପ୍ରାରମ୍ଭିକ ସଂକେତ ମିଳୁଥିବା ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଦେଲେ ସୂଚନା 

706

କନକ ବ୍ୟୁରୋ: ସୋମବାର ରାତିରେ ଆରବ ମହାସାଗରରେ ଉଠିଥିବା ବାତ୍ୟା ଗୁଜରାଟରେ ମାଡ କରିବା ପରେ ଅନ୍ୟପଟେ ବଙ୍ଗୋପ ମହାସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବା ନେଇ ସଂକେତ ମିଳୁଛି ।

ପୂର୍ବ କେନ୍ଦ୍ରିୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଆସନ୍ତା ୨୩ ତାରିଖ ବେଳକୁ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ମୌସୁମୀ ପୂର୍ବରୁ ଏଭଳି ଲଘୁଚାପ ସୃଷ୍ଟି ହେବା ଏକ ସାଧାରଣ କଥା, କିନ୍ତୁ ୨୩ ତାରିଖରେ ସୃଷ୍ଟି ହେବାକୁ ଯାଉଥିବା ଏହି ଲଘୁଚାପ ଏକ ସାଧାରଣ ଲଘୁଚାପ ନହୋଇପାରେ । କାରଣ ଏହି ଲଘୁଚାପ ଘନିଭୂତ ହେବା ପାଇଁ ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ସବୁ ପ୍ରକାରର ଅନୁକୂଳ ପରିସ୍ଥିତି ରହିଛି । ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି, ଏହା ଘନିଭୂତ ହେବାର ସଂକେତ ରହିଛି ଏବଂ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବାର ଆଶଙ୍କା ରହିଛି ।

ଅବଶ୍ୟ ବର୍ତମାନ ଠାରୁ ସମସ୍ତ ଆକଳନ ଶହେ ପ୍ରତିଶତ ଠିକ୍ ନହୋଇପାରେ । କିନ୍ତୁ ଯଦି ଆକଳନ ଠକ୍ ହୁଏ, ତେବେ ଏହା ଓଡିଶା କିମ୍ବା ବାଂଲାଦେଶ ଆଡକୁ ମୁହାଁଇ ପାରେ । ବାତ୍ୟାର ରୂପ ନେବା ପରେ ଏହି ଝଡ ଉତର ପଶ୍ଚିମ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଉତର ପଶ୍ଚିମ ଆଡକୁ ଗତି କରିବା ବେଳେ ଏହି ଝଡ ପୁଣି କୁଆଡେ ମୁହାଁଇବ ତା ଉପରେ ଓଡିଶା, ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶର ଭାଗ୍ୟ ନିର୍ଭର କରିବ ।

ଏହି ଝଡର ଆଉ ଏକ ଦିଗକୁ ନେଇ ମଧ୍ୟ ଆଲୋଚନା କରାଯାଇ ପାରେ । ଯଦି ଏହା ଭୀଷଣ ରୂପ ନେବ ନାହିଁ ଏବଂ ସ୍ଥଳ ଭାଗକୁ ଛୁଇଁବା ପରେ ବି ଦୁର୍ବଳ ନହୋଇ ସ୍ଥଳଭାଗର ଅଧିକ ଭିତରକୁ ଯିବ, ତେବେ ମୌସୁମୀ ବର୍ଷା ଆଣିବାରେ ଏହା ବେଶ ଭଲଭାବେ ସହାୟକ ହେବ । ଏବେ ଦେଖିବାର କଥା ହେଉଛି, ଏହା କେମିତି ରୂପ ନେଉଛି, ଏବଂ କେମିତି ଗତି କରୁଛି ।