କନକ ବ୍ୟୁରୋ: ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇଛି ସୃଷ୍ଟ ଘୂର୍ଣ୍ଣିବଳୟ । ଗତକାଲି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।
ଏହି ଲଘୁଚାପ ଆସନ୍ତା ୩୬ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଏକ ଅବପାତ ବା ଡିପ୍ରେସନରେ ପରିଣତ ହେବ । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୧ ତାରିଖ ସକାଳେ ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବ । ଏହି ଡିପ୍ରେସନ ପ୍ରଭାବରେ ଆଜିଠାରୁ ଆସନ୍ତା ୧୧ ତାରିଖ ପର୍ୟ୍ୟନ୍ତ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଯୋଗୁଁ ତାମିଲନାଡୁରେ ଗତ କିଛି ଦିନ ଧରି ଚାଲିଥିବା ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଆହୁରି ସଂଗୀନ ହେବାର ଆଶଙ୍କା ରହିଛି । ଇତି ମଧ୍ୟରେ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ୫ ଜଣ ପ୍ରାଣ ହରାଇଛନ୍ତି । ଆଗକୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ବ୍ୟକ୍ତ କରାଯାଉଛି ।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଏନଡିଆରଏଫ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି । ତଳୁଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଉଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯାଇଛି ।
୧୧ରେ ସ୍ଥଳଭାଗ ଛୁଇଁବ ଲଘୁଚାପ