ଆସୁଛି ବାତ୍ୟା ! ଡିସେମ୍ବର ୩ରୁ ବର୍ଷା, ସତର୍କ ରହିବାକୁ ନିର୍ଦ୍ଦେଶ ।

535

କନକ ବ୍ୟୁରୋ : ଡିସେମ୍ବର ପ୍ରଥମ ସପ୍ତାହରେ ବାତ୍ୟା ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ସକ୍ରିୟ ହେଲେ କେଉଁ ଦିଗରେ ଗତି କରିବ, କେଉଁଠି ଏହା ପ୍ରଭାବ ପକାଇବ ତାହା ଜଣାପଡିଥିଲେ ବି ଏଭଳି ଆକଳନ ଚିନ୍ତା ବଢ଼ାଇ ଦେଇଛି । ପାଣିପାଗ ବିଭାଗର ଆଶଙ୍କା ପରେ ସବୁ ଜିଲ୍ଲାପାଳମାନଙ୍କୁ ସତର୍କ କରିଛନ୍ତି ଏସଆରସି ।

ଡିସେମ୍ବର ଆରମ୍ଭରୁ ବାତ୍ୟା ଆଶଙ୍କା । ଆଇଏମଡି ପୂର୍ବାନୁମାନ ବଢ଼ାଇଲା ଚିନ୍ତା । ଦକ୍ଷିଣ ଆଣ୍ଡାମାନ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ମେଘଖଣ୍ଡଗୁଡିକୁ ଏକାଠି କରିବା ସହ ସମୁଦ୍ର ଭିତରେ ଶକ୍ତି ସଂଗ୍ରହ କରୁଛି ଏବଂ ଲଘୁଚାପ ପାଇଁ ଦାନାବାନ୍ଧୁଛି ।

୩୦ରେ ନେବ ଲଘୁଚାପର ରୂପ । ଲଘୁଚାପ ପରେ ସ୍ପଷ୍ଟ ହେବ ଗତିପଥ । ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧିରେ ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଦିଗରେ ୪୮ ଘଣ୍ଟା ଗତି କରିବା ପରେ ମୋଡ ବଦଳାଇ ଉତ୍ତର-ପଶ୍ଚିମ ଦିଗରେ ଉପକୂଳ ମୁହାଁ ହୋଇପାରେ । ଏବଂ ଲଘୁଚାପର ରୂପ ନେବ । ତେବେ କେଉଁ ଉପକୂଳ ଦେଇ ଗତି କରିବ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ଭାବେ ଆକଳନ କରି ହେବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଡିସେମ୍ବର ୩ରୁ ବର୍ଷା । ସତର୍କ ରହିବାକୁ ନିର୍ଦ୍ଦେଶ । ଲଘୁଚାପ ପ୍ରଭାବରେ ଡିସେମ୍ବର ୩ ତାରିଖରୁ ଓଡିଶା ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ, ତେଣୁ ସତର୍କ କରିଛି ପାଣିପାଗ ବିଭାଗ । ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ସମସ୍ତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି । ବିଶେଷ କରି ୬ଜିଲ୍ଲା, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନାଗିରି, କୋରାପୁଟ, ଓ ରାୟଗଡ଼ାରେ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ଧାନ ଅମଳ ସମୟ ହୋଇଥିବାରୁ ଚାଷୀମାନେ କିଭଳି କ୍ଷତିଗ୍ରସ୍ତ ନହେବେ ଓ ବର୍ଷ ଯାକର ଉତ୍ପାଦ ନଷ୍ଟ ହେବ ସେଥିପାଇଁ ସତର୍କ ରହିବାକୁ ବି ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି ।