କନକ ବ୍ୟୁରୋ : ହୀରାକୁଦ ଜଳଭଣ୍ଡାରରେ ଏବେ ପାଣି ଉବୁଟୁବୁ ହେଲାଣି । ସର୍ବାଧିକ ୬୩୦ଫୁଟ ଜଳ ଧାରଣ କ୍ଷମତା ଥିବାବେଳେ ଏହାର ୯୮%ରୁ ଅଧିକ ଏବେ ଭରିଗଲାଣି । ଏବେ ୬୨୯.୩୩ ଫୁଟରେ ଜଳ ସ୍ତର ଥିବାବେଳେ ଘଣ୍ଟାକୁ ଘଣ୍ଟା ପାଣି ବଢ଼ୁଛି । ତେଣୁ ଡ୍ୟାମ୍ କର୍ତ୍ତୃପକ୍ଷ ଅଧିକ ଗେଟ୍ ଖୋଲିଛନ୍ତି । ଏବେ ୧୨ଟି ଗେଟ୍ ଦେଇ ପାଣି ଛଡ଼ା ଯାଉଥିବା ବେଳେ ଅଧିକ ଗେଟ୍ ଖୋଲିବାକୁ ଯୋଜନା ହୋଇଛି । ପୁଣି ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ଆଶଙ୍କା ଥିବାରୁ ସବୁ ଡ୍ୟାମ୍ ଓ ନଦୀରେ ଜଳସ୍ତର ବଢ଼ିପାରେ । ଫଳରେ ରାଜ୍ୟରେ ବଡ଼ ବନ୍ୟାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ।
ହୀରାକୁଦରେ ଡ୍ୟାମକୁ ସେକେଣ୍ଡ୍ ପିଛା ୧,୪୯,୦୬୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା ବେଳେ ସେକେଣ୍ଡ ପିଛା ୨,୨୫,୩୦୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ମୁଣ୍ଡୁଳିରେ ସେକେଣ୍ଡ ପିଛା ୨,୩୬,୧୯୨ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଯେଉଁଥିପାଇଁ ଏବେ ମହାନଦୀ ଓ ଶାଖା ନଦୀ ଫୁଲିବାରେ ଲାଗିଛି। ବହୁ ତଳିଆ ଅଞ୍ଚଳରେ ପାଣି ମାଡ଼ିଲାଣି। ଠିକ୍ ଏହି ସମୟରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ୨୫ରୁ ରାଜ୍ୟରେ ବର୍ଷା ବଢ଼ିବ । ଉପକୂଳ, ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ଦାନ ବାନ୍ଧୁଥିବାରୁ ଓଡ଼ିଶାକୁ ବର୍ଷାରୁ ନିସ୍ତାର ନାହିଁ। ଯାହା ମହାନଦୀ ଓ ଏହାର ଶାଖା ନଦୀ ସମେତ ବିଭିନ୍ନ ନଦୀରେ ବନ୍ୟା ଆଣିପାରେ ।
ପାଣିପାଗ ବିଭାଗ କହିଛି ଯେ ମିଆଁମାର ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଶନିବାରରୁ ଉପକୂଳ , ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ। ସେହିପରି ୨୬ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ଉତ୍ତର-ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ। ଏହା ୨୮ରେ ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ମଧ୍ୟ ସାରା ରାଜ୍ୟରେ ବର୍ଷା ହେବ । ଏହି ଲଘୁଚାପ ପ୍ରଭାବରେ ମହାନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ସବୁ ଡ୍ୟାମ୍ ଓ ନଦୀରେ ଜଳସ୍ତର ବଢ଼ିବ ବୋଲି କୁହାଯାଉଛି ।
ଏବେ ହୀରାକୁଦ ସମେତ ରାଜ୍ୟର ସବୁ ଡ୍ୟାମ୍ରେ ଜଳପତନ ବଢ଼ିବାରେ ଲାଗିଛି। ହେଲେ ହୀରାକୁଦ ପରିସ୍ଥିତି ଅନ୍ୟ ସ୍ଥାନରେ ନାହିଁ। ବ୍ରାହ୍ମଣୀ ନଦୀରେ ଥିବା ରେଙ୍ଗାଳି ଡ୍ୟାମ୍ରେ ବି କ୍ଷମତାର ୯୨.୩% ପୂର୍ଣ୍ଣ ହୋଇଗଲାଣି। ଯେଉଁଥିପାଇଁ ଗୋଟିଏ ଗେଟ୍ ଦେଇ ଏବେ ଜଳ ନିଷ୍କାସନ ହେଉଛି। ମାଛକୁଣ୍ଡରେ ୪୧.୧% ଥିବାବେଳେ ୨ଟି ଗେଟ୍ରେ ଜଳ ନିଷ୍କାସନ ହେଉଛି। ସାଳନ୍ଦୀରେ ୬୦.୩%, ସିଲେରୁ ନଦୀର ବାଲିମେଳା ଡ୍ୟାମ୍ରେ ୩୬.୧%,ଅପର କୋଲାବରେ ୩୦.୮%, ଇନ୍ଦ୍ରାବତୀରେ ୩୭.୪% ଏବେ ସୁଦ୍ଧା ପୂର୍ଣ୍ଣ ହୋଇଛି। କିନ୍ତୁ ସବୁ ଡ୍ୟାମରେ ଏବେ ଜଳପତନ ବଢ଼ୁଥିବାରୁ ଜଳସମ୍ପଦ ବିଭାଗର ପକ୍ଷରୁ ସବୁ ଡ୍ୟାମ୍ରୁ କିଛି କିଛି ପାଣି ନିଷ୍କାସନ କରାଯାଉଛି ।
ହୀରାକୁଦ ଓ ରେଙ୍ଗାଲି ଡ୍ୟାମ୍କୁ ଛାଡ଼ି ବାକି ସବୁ ଡ୍ୟାମ୍ ଏବେ ସତର୍କ ସଂକେତରୁ ବହୁ ତଳେ ଥିଲେ ହେଁ ରାଜ୍ୟର ସବୁ ପ୍ରମୁଖ ନଦୀରେ ଜଳପତନ ବଢ଼ିବାରେ ଲାଗିଛି। ସୁନ୍ଦରଗଡ଼ରେ ଇବ୍ ନଦୀରେ ୨୧୭.୯୩ ମିଟର, ପାନପୋଷରେ ବ୍ରାହ୍ମଣୀରେ ୧୭୪.୦୧ ମିଟର, ଆନନ୍ଦପୁରରେ ବୈତରଣୀରେ ୩୫.୦୩ମିଟର, ଆଖୁଆପଦାରେ ୧୭.୩୪ମିଟର, ଜାମସୋଲାଘାଟରେ ବୁଢ଼ାବଳଙ୍ଗରେ ୧୭.୩୪ମିଟର, ରାଜଘାଟରେ ସୁବର୍ଣ୍ଣରେଖାରେ ୧୦.୦୭ମିଟର, ଗୁଣୁପୁରରେ ବଂଶଧାରାରେ ୮୦.୯୯ମିଟର, ମଥାନିରେ ଜଳକା ନଦୀରେ ୬.୮୭ମିଟରରେ ଜଳ ପ୍ରବାହ ହେଉଛି। ଆଗକୁ ପ୍ରବଳ ବର୍ଷା ଥିବାରୁ ଜଳସମ୍ପଦ ବିଭାଗର ପକ୍ଷରୁ ସମସ୍ତ ବିପଦସଙ୍କୁଳ ସ୍ଥାନ ପାଇଁ ଜଣେ ଲେଖାଏଁ ନୋଡାଲ ଅଫିସରଙ୍କୁ ନିୟୋଜିତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/hirakud-dam-f.jpg)