ବଙ୍ଗୋପସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । କାଲି ଲଘୁଚାପ ଆଶଙ୍କା, ୪-୫ ଦିନ ମଧ୍ୟରେ ଅଧିକ ଘନୀଭୂତ ହେବା ସମ୍ଭାବନା ।

678

କନକ ବ୍ୟୁରୋ : ବଙ୍ଗୋପସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । ଉତ୍ତର ଆଣ୍ଡାମାନ ସାଗର ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ସମୁଦ୍ର ପତନଠାରୁ ୩.୧କିଲୋମିଟରରୁ ୫.୮କିଲୋମିଟର ମଧ୍ୟରେ ବାୟୁମଣ୍ଡଳରେ ଏହା ସକ୍ରିୟ ରହିଛି । ଯାହା ପ୍ରଭାବରେ ଆଗାମୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

ପରବର୍ତ୍ତୀ ସମୟରେ ଏହି ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୪ରୁ ୫ଦିନ ଯାଏଁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେଣୁ ରାଜ୍ୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ ବିଳମ୍ବ ହେବ ।

ସେହିପରି ଦକ୍ଷିଣ ଚୀନ୍ ସାଗରରେ ସୃଷ୍ଟ ବାତ୍ୟା ଆସନ୍ତା ୧୮ ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହୋଇ ବଙ୍ଗୋପସାଗରରେ ପ୍ରବେଶ କରିବ ବୋଲି ସ୍କାଏମେଟ୍ ଆକଳନ କରିଛି । ଏପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।