ୱେଲ ମାର୍କଡ୍ ଲୋ ପ୍ରେସର ପ୍ରଭାବ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା; ଆଜି ୬ ଜିଲ୍ଲା ୟେଲୋ ୱାର୍ଣ୍ଣିଂ

719

କନକ ବ୍ୟୁରୋ : ୱେଲ ମାର୍କଡ୍ ଲୋ ପ୍ରେସର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ୱେଲ ମାର୍କଡ୍ ଲୋ ପ୍ରେସର ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଜି ପାଇଁ ୬ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହଛି ।

ଅପରପକ୍ଷେ ଗତକାଲିର ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଆଜି ବାଂଲାଦେଶ ଉପକୂଳ ଓ ସଂଲଗ୍ନ ପଶ୍ଚିମବଙ୍ଗରେ ସକ୍ରିୟ ରହିଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏ ଲମ୍ବିଛି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପଟି ପଶ୍ଚିମ ମୁହାଁ ହୋଇ ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ବିହାର ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାର ମଧ୍ୟମଧରଣର ବର୍ଷା ହେବା ସହ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ସମ୍ଭାବିତ ପ୍ରବଳ ବର୍ଷା ପ୍ରଭାବରେ କିଛି ଜିଲ୍ଲାର ତଳିଆ ଅଞ୍ଚଳରେ ସାମୟିକ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସେପଟେ, ନିଅଣ୍ଟିଆ ବର୍ଷା ରେକର୍ଡ କରିଥିବା ଭଦ୍ରକ ଜିଲ୍ଲାର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ପୂର୍ବରୁ ଏଠାରେ ୬୧% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଜୁଲାଇ ଶେଷ ଆଡ଼କୁ ସେଥିମଧ୍ୟରୁ ୨୦% ଭରଣା ହୋଇଯାଇଛି । ଯାଜପୁରର ସ୍ଥିତି ବି ସମାନ ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଯେ ରାଜ୍ୟରେ ବର୍ତ୍ତମାନ ୧ ୫ଜିଲ୍ଲାରେ ସ୍ବାଭାବିକ ଓ ୧୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ଦେଖିବାକୁ ମିଳୁଛି । ଭଦ୍ରକ ଓ ଯାଜପୁରରେ ପୁଣିଥରେ ନିଅଣ୍ଟିଆ ବର୍ଷାର ସ୍ଥିତି ଉତ୍କଟ ହୋଇଛି। ପୁଣି ଏଠାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହେଲାଣି।