କନକ ବ୍ୟୁରୋ: ଫସଲ ଅମଳ ବେଳେ ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡାମାନ୍ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ବ୍ୟକ୍ତ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତାକାଲି ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ । ଯାହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

Advertisment

ତେବେ ବାତ୍ୟାର ଗତିପଥ ନେଇ କୌଣସି ବିସ୍ତୃତ ବିବରଣୀ ମିଳି ନାହିଁ । ଏପରିକି ଏହାର ତୀବ୍ରତା ନେଇ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ । ତେଣୁ ଆଜି କାଲି ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବ ବୋଲି ଆକଳନ କରାଯାଉଛି । ଲଘୁଚାପ କ୍ଷେତ୍ରର ଗତିବିଧି ଉପରେ ମଧ୍ୟ ଆଇଏମଡି ସତର୍କ ନଜର ରଖିଛି । ଗ୍ଲୋବାଲ ଫୋରକାଷ୍ଟିଂ ସିଷ୍ଟମ ସମ୍ଭାବ୍ୟ ବାତ୍ୟା ନେଇ ଆକଳନ କରିଛି । କେଉଁଠି ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ସେନେଇ ପୂର୍ବାନୁମାନ କରିଛି । ଆକଳନ ଅନୁସାରେ, ଲଘୁଚାପ ଡିସେମ୍ବର ୧ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ୪ ତାରିଖ ବେଳକୁ ଏହା ଉତର ଉତର-ପଶ୍ଚିମ ଦିଗରେ ଗତି କରିବ । ଏହା ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ରିକର୍ଭ କରିବ । ତେଣୁ ଡିସେମ୍ବର ୫ ତାରିଖରେ ସାମୁଦ୍ରିକ ଝଡର ରୂପ ନେଇ ଉତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଅତିକ୍ରମ କରିପାରେ । ତେବେ ଧାନ ଅମଳ ସମୟରେ ବାତ୍ୟା ଆସୁଥିବାରୁ ଚାଷୀଙ୍କ ଚିନ୍ତା ବଢିଛି ।