କନକ ବ୍ୟୁରୋ : ମାର୍ଚ୍ଚ ମାସର ତୃତୀୟ ସପ୍ତାହରେ ବାତ୍ୟା ହେବ କି? ଆସନ୍ତା ୨୪ଘଣ୍ଟାରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ପରବର୍ତ୍ତୀ ପର୍ଯ୍ୟାୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଅନୁମାନ କରାଯାଉଛି । ଯଦିଓ ଭାରତୀୟ ପାଣିପାଗ ବିଭାଗ ବାତ୍ୟାର ରୂପରେଖ ଓ ଦିଗକୁ ନେଇ ପୂର୍ବାନୁମାନ କରିନାହିଁ, ହେଲେ ବରିଷ୍ଠ ପାଣିପାଗ ବିଶେଷଜ୍ଞ ଶରତ ସାହୁ ଆକଳନ କରି କହିଛନ୍ତି, ବାତ୍ୟା ବାଂଲାଦେଶ ମୁହାଁ ହେବ ଏବଂ ଓଡ଼ିଶା ଉପକୂଳରୁ ୨ଶହ କିଲୋମିଟର ଦୂରରେ ଏହା ଗତି କରିବ ।

Advertisment

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ୨୪ ଘଣ୍ଟା ଭିତରେ ସୃଷ୍ଟି ହୋଇପାରେ ଲଘୁଚାପ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ଟୁଇଟରେ ଏହି ସୂଚନା ଦିଆଯାଇଛି । କିନ୍ତୁ ଏହି ଲଘୁଚାପକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । କାରଣ ଲଘୁଚାପର ପରବର୍ତ୍ତୀ ରୂପରେଖକୁ ନେଇ ଅନ୍ୟ ପାଣିପାଗ ବିଶେଷଜ୍ଞ ପରବର୍ତ୍ତୀ ସ୍ଥିତି ଆକଳନ କରିଛନ୍ତି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅଧିକାରୀଙ୍କୁ ଆମେ ଯେତେବେଳେ ପ୍ରଶ୍ନ କରିଥିଲୁ, ସେମାନେ କହିଥିଲେ, ବର୍ତମାନ ପାଇଁ କେବଳ ଏତିକି ସୂଚନା ଦେଇହେବ । ସେପଟେ ସୋଆ ବିଶ୍ୱ ବିଦ୍ୟାଳୟର ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ୨୦ ତାରିଖ ବେଳକୁ ଏହି ମଡେଲ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ । ଆଉ ୨୨ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ । ତେବେ ଓଡିଶା ଉପକୂଳ ଠାରୁ ୨ଶହ କିଲୋମିଟର ଦୂରରେ ଏହା ଗତିପଥ ପରିବର୍ତନ କରି ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଓ ବାଂଲାଦେଶ ଆଡ଼କୁ ମୁହାଁଇବ । ସାଧାରଣତଃ ମାର୍ଚ୍ଚ ମାସରେ ବାତ୍ୟା ଆସିବା ଦେଖାଯାଏ ନାହିଁ । ବାତ୍ୟା ଉପରେ ନଜର ରଖୁଥିବା ବିଶେଷଜ୍ଞଙ୍କ ପୂର୍ବାନୁମାନ ହେଲା, ଯଦିଓ ଏହି ବାତ୍ୟା ଆସେ, ଏହା ଓଡ଼ିଶା ଉପରେ ବେଶୀ ପ୍ରଭାବ ପକାଇବାର ଆଶଙ୍କା କମ୍ ।