ଅବପାତର ରୂପ ନେଲା ଲଘୁଚାପ । ୩ ଦିନ ପାଗ ରହିବ ମେଘୁଆ, ୨୧ରୁ ୨୨ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ ବର୍ଷା ।

305

କନକ ବ୍ୟୁରୋ : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତର ତାମିଲନାଡୁ ଉପକୂଳରେ ଅବପାତ ରୂପ ନେଇଛି । ଏହାର ପ୍ରଭାବରେ ଅଗାମୀ ୨ ଦିନ ଓଡ଼ିଶାରେ ମେଘୁଆ ପାଗ ରହିବ । ଏହାସହ କିଛି ଜାଗାରେ ବର୍ଷା ମଧ୍ୟ ହୋଇପାରେ ।

ଆଜି  ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଜିଲ୍ଲାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୧ ଓ ୨୨ ନଭେମ୍ବରରେ  ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨ ରୁ ୩ ଡ଼ିଗ୍ରୀ ଯାଏଁ ବଢିବ ରାତ୍ରି ତାପମାତ୍ରା , ୪ ଦିନ ଯାଏଁ ଶୀତର ବିଶେଷ ସମ୍ଭାବନା ନାହିଁ । ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ଗତ କିଛିଦିନ ପୂର୍ବେ ମଧ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ଅନେକ ଚାଷୀଙ୍କର ଧାନ ବିଲରେ ଗଜା ହୋଇ ଯାଇଥିଲା । ତେଣୁ ଆଗକୁ ପୁଣିଥରେ ଲଘୁଚାପ ବର୍ଷା ଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଲାଣି । ଏହାବାଦ୍ ଲଘୁଚାପ ବର୍ଷା ଶେଷ ହେବା ପରେ ରାଜ୍ୟରେ ଶୀତର ପରିମାଣ ବଢିପାରେ ।