କନକ ବ୍ୟୁରୋ : ମୃତ୍ୟୁ ପରେ ବି ସେମାନଙ୍କୁ କେହି ଅଲଗା କରିପାରିବେନି। ଏଭଳି ବିଶ୍ବାସ ରଖି ପରସ୍ପରର ହାତକୁ ବାନ୍ଧି ଡେଇଁ ପଡିଥିଲେ ମହାନଦୀକୁ। ମହାନଦୀରୁ ଚିତ୍ରୋତ୍ପଳା ଏବଂ ପରେ ଲୁଣା ନଦୀରେ ଉଭୟଙ୍କ ଶବ ଭାସି ଭାସି ଯାଇ ଆଜି ତିନି ଦିନ ପରେ ଉଦ୍ଧାର ହୋଇଛି। ଝିଅର ବାମ ହାତ ସହିତ ପୁଅର ଡାହାଣ ହାତ ବନ୍ଧା ହୋଇ ରହିବା ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଛି। କଟକର ଦୁଇ ପ୍ରେମୀ ଯୁଗଳଙ୍କ ଏଭଳି ମୃତ୍ୟୁ ବିଭିନ୍ନ ମହଲରେ ଉଦ୍ବେଗ ସୃଷ୍ଟି କରିଛି। ମୃତ ପ୍ରେମୀ ଯୁଗଳ ହେଉଛନ୍ତି କଟକ ଚାଉଳିଆଗଂଜ ଥାନା ଅନ୍ତର୍ଗତ ଶିଖରପୁର ଉପରସାହିରେ ଭଡା ନେଇ ରହୁଥିବା ଚିତ୍ତରଂଜନ ଜେନାଙ୍କ ପୁଅ ତୁଷାର ଜେନା (୨୧) ଓ ତାଙ୍କର ପଡୋଶୀ ଅଙ୍କିତା ସିଂହ (୧୪)।
ତୁଷାର ଓ ଅଙ୍କିତାଙ୍କ ପ୍ରେମ କାହାଣୀ ପୁରା ସାହି ଜାଣିଥିଲା। କିନ୍ତୁ ଝିଅ ନାବାଳିକା ହେଇଥିବାରୁ ଝିଅର ପରିବାର ଲୋକ ଏହାର ଦୃଢ ବିରୋଧ କରୁଥିଲେ। ଏଭଳି ସ୍ଥିତିରେ ଉଭୟ ଗଲା ୭ ତାରିଖ ସୋମବାର ଭୋର ସମୟରେ ଘରୁ ପଳାଇ ଯାଇଥିଲେ। ସେମାନେ ପରସ୍ପରର ହାତକୁ ଏକ ରୁମାଲରେ ବାନ୍ଧି ମହାନଦୀରେ କାଳିଆବୁଦା ପୋଲ ଉପରୁ ଡେଇଁ ପଡିଥିବା ସନ୍ଦେହ କରାଯାଇଥିଲା। କିନ୍ତୁ ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ନମିଳିବାରୁ ନାବାଳିକାର ପରିବାର ପକ୍ଷରୁ ମାଲଗୋଦାମ ଥାନାରେ ଏକ ଅପହରଣ ଅଭିଯୋଗ ହୋଇଥିଲା। ପୁଲିସ ଦଫା ୩୬୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଇଆଇସି ରବି ନାରାୟଣ ଭଞ୍ଜଙ୍କ କହିବା ଅନୁଯାୟୀ ଅଭିଯୋଗ ମିଳିବାର ଅଧଘଣ୍ଟା ଭିତରେ ଅପହରଣ ମାମଲା ରୁଜୁ କରି କଟକ-ଭୁବନେଶ୍ୱର ରେଳ ଷ୍ଟେସନ, ପୁରୀ, ପୁଅର କିଛି ସମ୍ପର୍କୀୟଙ୍କ ଘରେ ଯାଞ୍ଚ କରାଯାଇଥିଲା। କିନ୍ତୁ ପୁଅର ମୋବାଇଲ ଫୋନ ଶିଖରପୁରରେ ବନ୍ଦ ହେଇଥିବା ଯୋଗୁଁ ତା’ର ଲୋକେସନ ଜଣାପଡ଼ିନଥିଲା।
ତୁଷାର ଜେକେବିକେ କଲେଜରେ ଗ୍ରାଜୁଏସନ କରିବା ପରେ ଏକ ଘରୋଇ ଋଣ ଆଦାୟକାରୀ ସଂସ୍ଥାରେ ନୂଆକରି ଚାକିରି ଆରମ୍ଭ କରିଥିଲେ। ଝିଅ ସ୍ଥାନୀୟ ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ୮ମ ଶ୍ରେଣୀରେ ପଢୁଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ତିନି ବର୍ଷ ହେବ ପ୍ରେମ ସଂପର୍କ ଗଢି ଉଠିଥିଲା। ଏ କଥା ଜଣାପଡ଼ିବା ପରେ ନାବାଳିକାର ପରିବାର ଲୋକ ଉଭୟଙ୍କୁ ତାଗିଦ କରିଥିଲେ। କିନ୍ତୁ ସେମାନଙ୍କୁ ମରିଗଲା ପରେ ବି କେହି ଅଲଗା କରିପାରିବେ ନାହିଁ ବୋଲି ସେମାନେ ତାଙ୍କ ସାଙ୍ଗସାଥୀଙ୍କୁ କହିଥିବା ବେଳେ ତାହାକୁ କରି ଦେଖାଇ ଦେଲେ ବୋଲି ଆଲୋଚନା ହେଉଛି।
ଅନ୍ୟପଟେ ଗତକାଲି ଏହି ଦୁଇ ମୃତଦେହ ଚିତ୍ରୋତ୍ପଳା ନଈରେ ଭାସି ଯାଉଥିବାର ନେମାଳ ଓ ସାଲେପୁର ଥାନା ଅଞ୍ଚଳର ଲୋକ ଦେଖିଥିଲେ। ଏ ସଂପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲେ ବି କେହି ତାହାକୁ ଉଦ୍ଧାର ନ କରି ବରଂ ଭାସି ଯିବାକୁ ଛାଡି ଦେଇଥିଲେ। ଆଜି ଳୁଣାନଦୀର ପଳାସପୁର ନିକଟରେ ଏହି ମୃତଦେହକୁ ଉଦ୍ଧାର କରି ମାର୍ଶାଘାଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମାଲଗୋଦାମ ଥାନା ପୁଲିସ ଉପସ୍ଥିତିରେ ହସ୍ତାନ୍ତର କରିଛି।
Comments are closed.